ଲାଇଭ୍‌ ଷ୍ଟକ୍‌ ଇନିସପେକ୍ଟରଙ୍କର ଏତେ ସମ୍ପତ୍ତି ଆସିଲା କୁଆଡୁ, ଦୁର୍ନୀତି ନା ନିଜ ସମ୍ପତ୍ତି ?

ପ୍ରାଣୀଧନ ନିରୀକ୍ଷକ ବା ଲାଇଭ ଷ୍ଟକ୍‌ ଇନିସପେକ୍ଟର । ଯାହାଙ୍କୁ ଲୋକେ ସର୍ଟରେ କୁହନ୍ତି ଏଲ୍‌ଆଇ । ତାଙ୍କ ଦରମା ମାସକୁ ପ୍ରାୟ ୪୫ ହଜାର ଟଙ୍କା । ବର୍ଷକର ହିସାବ କଲେ ୪ ଲକ୍ଷ ୮୦ ହଜାର ଟଙ୍କା ସେ କମାଇଥାନ୍ତି । ତାଙ୍କ ସମ୍ପତ୍ତି କଥା ଶୁଣିଲେ ମୁଣ୍ଡ ଘୂରେଇ ଯାଉଛି । ତାଙ୍କ ଘରୁ ତ ବେଶ୍‌ କିଛି ସୁନା ଅଳଙ୍କାର ମିଳିଛି । ତେବେ ତାଙ୍କର ଥିବା ଜମି ବିଷୟରେ ଜାଣିଲେ ହୋସ୍‌ ଉଡ଼ିଯିବ । କେବଳ ଟ୍ଵିନ୍‌ ସିଟିରେ ତାଙ୍କର ରହିଛି ୯୦ଟି ପ୍ଲଟ ଓ ୭ଟି କୋଠା । ସେହିପରି ତାଙ୍କ ଘରୁ ୫ଶହ ଗ୍ରାମ ସୁନା ଓ ୧୦ ଗ୍ରାମ ହୀରା ଅଳଙ୍କାର ମିଳିଛି । ଏଥିସହ ତାଙ୍କର ୧୭ ଲକ୍ଷରୁ ଅଧିକ ଟଙ୍କା ବ୍ୟାଙ୍କ ଜମା ଥିବା ଜଣାପଡ଼ିଛି । ଏପର୍ଯ୍ୟନ୍ତ ୧୬ କୋଟି ଟଙ୍କାର ଊର୍ଦ୍ଧ୍ୱ ସମ୍ପତ୍ତି ଠାବ ହୋଇଛି । ସେ ହେଉଛନ୍ତି ଭୁବନେଶ୍ୱର କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ। ତାଙ୍କ ଚଳଣି ଦେଖଇଲେ ଆଖି ଖୋସି ହୋଇଯିବ । ଏବେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଆଉ ତାଙ୍କ ସମ୍ପତ୍ତି ସବୁ ଠାବ କରି ଭିଜିଲାନ୍ସ ହିସାବ ଚଳାଇଛି ।

ଦୁର୍ନୀତି ଏକା କରିଛନ୍ତି ନା ଆଉ କିଏ ସାଥୀ ଅଛି ?

ଯଦି ଆମେ ଦେଖିବା ଏଇ ଲାଇଭ ଷ୍ଟକ୍‌ ଇନିସପେକ୍ଟରଙ୍କ କାମ ହେଉଛି ଗୃହପାଳିତ ପଶୁପକ୍ଷୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସେମାନଙ୍କୁ ଔଷଧ ଦେବା । ଏ କ୍ଷେତ୍ରରେ କଣ ଏମିତି ଦୁର୍ନୀତି କଲେ ଯେ ତାଙ୍କର ଅମାପ ସମ୍ପତ୍ତି ହୋଇଗଲା ? ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ରେଡ୍‌ କରିଛି ଭିଜିଲାନ୍ସ ।
ଜଗନ୍ନାଥ ରାଉତଙ୍କର ଘର, ଅଫିସ ସମେତ ୯ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ । ଭୁବନେଶ୍ୱର ରଘୁନାଥପୁର ରୟାଲ ଲାଗୁନ ଆପାର୍ଟମେଣ୍ଟରେ ତାଙ୍କର ଥ୍ରୀ ବିଏଚକେ ଫ୍ଲାଟ ରହିଛି । ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କା । ସେହିପରି ରଘୁନାଥପୁର ଗାଁରେ ଏକ ତିନି ମହଲା କୋଠା ଓ ଆଉ ଗୋଟିଏ ଦୁଇ ମହଲା କୋଠା ରହିଛି । ସେଠାରେ ଏକ ତିନି ମହଲା ମାର୍କେଟ କଂପ୍ଲେକ୍ସ ମଧ୍ୟ ଠାବ ହୋଇଛି ।

ଏବେ ପ୍ରଶ୍ନ ଉଠୁଛି ସେ କିପରି ଏତେ ସମ୍ପତ୍ତି କରି ପାରିଲେ? ସରକାରୀ ଚାକିରି ଛଡ଼ା ତାଙ୍କର ଆୟର ଆଉ କଣ ବାଟ ରହିଛି କି ? ଯଦି ତାଙ୍କର ପୈତୃକ ସମ୍ପତ୍ତି ଅଧିକ ଅଛି ତେବେ ଆୟ ବହିର୍ଭୂତ ସମ୍ପତ୍ତି କେମିତି ହେବ ? ଏଥିରେ ତ ଭିଜିଲାନ୍ସ ନୁହେଁ ଆୟକର ବିଭାଗ ହାବୁଡ଼ରେ ସେ ପଡ଼ିବା କଥା । ଆଉ ଯଦି ଜଗନ୍ନାଥ ରାଉତଙ୍କ ଜରିଆରେ କିଛି ଦୁର୍ନୀତି ହେଉଥିଲା ତେବେ ତାଙ୍କୁ ମୋହରା କରିଥିବା ଲୋକମାନେ କିଏ ? କାରଣ ସେ ଜଣେ ସରକାରୀ ଅଧିକାରୀ । ତାଙ୍କୁ ତ ଭିଲାନ୍ସ ଡର ଆଗରୁ ରହିବା କଥା । ତଥାପି କିଭଳି ସେ ଏତେ ସମ୍ପତ୍ତି ନିଜ ନାଁରେ ରଖୁଥିଲେ । ଏସବୁ ଖୋଳତାଡ଼ ହେଲେ ହିଁ ସତ କଥା ଜଣାପଡ଼ିବ ।

image-2

ଯେମିତି କିଛିଦିନ ତଳେ କଳାରାହଙ୍ଗ ପଞ୍ଚାୟତର ଜିଆରଏସ ବାବୁଲି ଚରଣ ପଢ଼ିଆରୀଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ତାଙ୍କର କଟକ ଓ ଭୁବନେଶ୍ୱରରେ ୫୯ଟି ପ୍ଲଟ୍‌ ରହିଛି । ସେହିପରି ନନ୍ଦନକାନନ ରୋଡ଼ ରଘୁନାଥପୁରରେ ଏକ କୋଟି ୨୪ ଲକ୍ଷ ଟଙ୍କାର ତିନି ମହଲା କୋଠା, ମାଉସୀ ମା’ ମନ୍ଦିର ପାଖରେ ୩ ମହଲା କୋଠା ସମେତ ବିଭିନ୍ନ ସ୍ଥାନରେ ଘର ଠାବ ହୋଇଥିଲା ।

ଆଜି ଜଗନ୍ନାଥ ରାଉତ ଗିରଫ ହୋଇଛନ୍ତି। ସର୍ବଶେଷ ହିସାବ ଅନୁଯାୟୀ ନିଜ ଆୟର ୩୭୬% ଅଧିକ ସମ୍ପତ୍ତି ସେ ଠୁଳ କରିଛନ୍ତି। ୭ କୋଟି ୨୧ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ସମ୍ପତ୍ତି ମଧ୍ୟରେ ଅଛି ୯୧ଟି ପ୍ଲଟ ୫ ଟି ବିଲ୍ଡିଂ ଓ ଦୁଇଟି ଫ୍ଲାଟ। ୩୯ ଲକ୍ଷ ୪୮ ହଜାର ଟଙ୍କାର ବ୍ୟାଙ୍କ ଓ ଇନ୍ସୁରାନ୍ସ ।

ତେଣୁ ଏସବୁ ଘଟଣାକୁ ଦେଖିଲେ ସନ୍ଦେହ ହେଉଛି ଯେ ଗୋଟିଏ ଲୋକ, ପୁଣି ସରକାରୀ ଚାକିରିଆ ଏତେ ସମ୍ପତ୍ତିର ମାଲିକ ହେଲେ କେମିତି ? ଇଏ କଣ ରାଜା ମହାରାଜା ନା ଜମିଦାର ? ଏତେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି କେମିତି ଅର୍ଜିଲେ ସେ ? ଏ ପ୍ରଶ୍ନର ଉତ୍ତର ମିଳିବ ତ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.