କାହାକୁ ଦୁଃଖ ତ’ ଆଉ କାହାକୁ ଖୁସି ଦେଇଗଲା ‘ଦାନା’, ବାତ୍ୟା ସମୟରେ ଜନ୍ମନେଲେ ୧୬୦୦ ନବଜାତ ଶିଶୁ

ଭୁବନେଶ୍ୱର : ଓଡ଼ିଶା ଉପକୂଳରେ ମାଡ଼ ହୋଇଛି ଭୀଷଣ ବାତ୍ୟା ‘ଦାନା ‘।  ଧାମରାର ଦକ୍ଷିଣ-ଦକ୍ଷିଣପୂର୍ବ ୨୦ କିମି ଦୂର ଅର୍ଥାତ୍ ଭିତରକନିକା ଅନ୍ତର୍ଗତ ହାବେଳିଖଟି ନେର୍ଚ କ୍ୟାମ୍ପ ନିକଟରେ ରାତି ୧୨ଟାରେ ସ୍ଥଳଭାଗ ଛୁଇଁଛି । କିନ୍ତୁ ବାତ୍ୟା ଲ୍ୟାଣ୍ଡଫଲ କରିବା ପୂର୍ବରୁ ଏକ ତଥ୍ୟ ସାମ୍ନାକୁ ଆସିଛି । ବାତ୍ୟା ଆସିବା ପୂର୍ବରୁ ରାଜ୍ୟରେ ପ୍ରାୟ ୧୬୦୦ ଛୁଆ ଜନ୍ମ ହୋଇଛନ୍ତି ।  ସମସ୍ତ ନବଜାତକ ଓ ମା ମାନେ ସୁସ୍ଥ ଥିବା ଜଣାପଡିଛି । ଗତକାଲି ଏସଆରସିଙ୍କ କାର୍ଯ୍ୟାଳୟରେ ଗଣମାଧ୍ୟମକୁ ବାତ୍ୟା ମୁକାବିଲା ସଂପର୍କିତ ସୂଚନା ଦେବା ସମୟରେ ଏଭଳି କିଛି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବାତ୍ୟା ପୂର୍ବରୁ ଗର୍ଭବତୀ ଓ ପ୍ରସୂତୀ ମାନଙ୍କୁ ମେଡ଼ିକାଲକୁ ଅଣାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବାତ୍ୟା ସମୟରେ ପିଲା ଭଲରେ ଭଲରେ ଜନ୍ମ ହୋଇଥିବାରୁ ବେଶ ଖୁସି ଅଛନ୍ତି ପରିବାର ଲୋକେ ।  ଏନେଇ ସରକାରଙ୍କୁ ବିଭିନ୍ନ ପରିବାର ପକ୍ଷରୁ ଧନ୍ୟବାଦ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ କହିଥିଲେ , ବାତ୍ୟାକୁ ଦୃଷ୍ଟିରେ ରଖି ଏଯାବତ ୫ ଲକ୍ଷ ୮୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ମୋଟ ପ୍ରାୟ ୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିଲା ।  ୮୩୮୨ଟି ବାତ୍ୟା ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ରଖାଯାଇଛି । ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୧.୭୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ମୟୂରଭଂଜ ଜିଲ୍ଲାରେ ଲକ୍ଷେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଭଦ୍ରକରେ ୭୫ ହଜାର, ଯାଜପୁରରେ ୬୦ ହଜାର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୪୬ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।  ମୋଟ ୪୪୨୧ ଆସନ୍ନ ପ୍ରସବାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ସେମାନଙ୍କ ମଧ୍ୟରୁ ପ୍ରାୟ ୧୬ଶହ ଗର୍ଭବତୀ ପ୍ରସବ କରିସାରିଛନ୍ତି ।