ପୁରୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଷୋଡ଼ଶ ଅର୍ଥ କମିଶନ, ସହରାଞ୍ଚଳ ଭିତ୍ତିଭୂମି ବିକାଶ ଉପରେ ଦେଲେ ଗୁରୁତ୍ବ

ପୁରୀ : ପୁରୀର ସମୃଦ୍ଧି ଐତିହ୍ୟ ସଂରକ୍ଷଣ ଏବଂ ସହରାଞ୍ଚଳ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବ ଦେଇଛି ଷୋଡ଼ଶ ଅର୍ଥ କମିଶନ। ଅରବିନ୍ଦ ପାନଗାରିଆଙ୍କ ନେତୃତ୍ବରେ ଅର୍ଥ କମିଶନଙ୍କ ସଦସ୍ୟମାନେ ଗତକାଲି ପୁରୀ ଓ କୋଣାର୍କ ପରିଦର୍ଶନ କରିଛନ୍ତି । ଶ୍ରୀମନ୍ଦିରକୁ ଯାଇ ସେମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ କମିଶନର ସଦସ୍ୟମାନେ ପୁରୀ ରାଜଭବନରେ ସ୍ଥାନୀୟ ପୌର ପ୍ରଶାସନ ସହିତ ସହରର ଉନ୍ନତିକରଣ, ଭିତ୍ତିଭୂମି ବିକାଶ ଏବଂ ନାଗରିକ ସୁବିଧା ବୃଦ୍ଧି ପାଇଁ ଆବଶ୍ୟକ ଆର୍ଥିକ ଆବଣ୍ଟନ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ବୈଠକରେ ପୌର ପ୍ରଶାସନ ଶ୍ରଦ୍ଧାଳୁ ଓ ଜନସଂଖ୍ୟା ବୃଦ୍ଧିକୁ ଲକ୍ଷ୍ୟକରି ସହରର ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା, ଆଲୋକୀକରଣ ଓ ଅନ୍ୟାନ୍ୟ ଭିତ୍ତିଭୂମିକୁ ଆହୁରି ଅଧିକ ବ୍ୟବସ୍ଥିତ ଓ ପରିମାର୍ଜିତ କରାଯିବାର ଆବଶ୍ୟକତା ରହିଛି ବୋଲି କମିଶନଙ୍କୁ ଅବଗତ କରିଥିଲେ ।
ଅପରାହ୍ନରେ ଅର୍ଥ କମିଶନର ସଦସ୍ୟମାନେ ବ୍ଲୁ ଫ୍ଲାଗ ବିଚ୍ ପରିଦର୍ଶନ କରିଥିଲେ । ସନ୍ଧ୍ୟାରେ ୟୁନେସ୍କୋ ଦ୍ବାରା ବିଶ୍ବ ଐତିହ୍ୟ ସ୍ଥଳ ଘୋଷିତ କୋଣାର୍କର ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ l ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, ନଗର ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ଅରିନ୍ଦମ ଡାକୁଆ, ପୁରୀ ଜିଲ୍ଲାପାଳ ଓ କମିଶନର ସଦସ୍ୟ ଆନି ମାଥ୍ୟୁ ପ୍ରମୁଖ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ ।
ଆହୁରି ପଢ଼ନ୍ତୁ : ରାଜଧାନୀ ଖଣ୍ଡଗିରିରେ ଜମୁଛି ମାଘମେଳା, ତପଭୂମି ପାଦଦେଶରେ ରାତିଦିନ ଚାଲୁଛି ମନ୍ତ୍ର ଜପ