ବିଷାକ୍ତ ମଦ ପିଇ ୧୭ ଅସୁସ୍ଥ, ICUରେ ୨ ଭର୍ତ୍ତି

ବ୍ରହ୍ମପୁର :  ବିଷାକ୍ତ ମଦ ପିଇ ୧୭ ଅସୁସ୍ଥ । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ କେ.ନୂଆଗାଁ ଥାନା ମାଉନ୍ଦପୁରଠାରେ ବିଷାକ୍ତ ଦେଶୀ ମଦ ପିଇ ୧୭ ଜଣ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଅଧିକାଂଶ ଅସୁସ୍ଥ ଚିକିଟି ବ୍ଲକ କରବାଲୁଆ ଜେନାପୁର ଗାଁର। ଗାଁରେ ୧୭ ଜଣ ଲୋକ ଦେଶୀ ମଦ ପିଇବା ପରେ ଝାଡା ବାନ୍ତିର ଶିକାର ହୋଇଥିଲେ। ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର MKCGରେ ଭର୍ତ୍ତି କରାଯାଇଥିଲା । ସେଥିମଧ୍ୟରୁ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ମେଡିକାଲରେ ୧୪ ଜଣ ଚିକିତ୍ସାଧୀନ ରହିଛନ୍ତି। ୱାର୍ଡରେ ୧୨ ଜଣ ଏବଂ ICUରେ ୨ ଜଣ ଭର୍ତ୍ତି ଅଛନ୍ତି।

ତେବେ ଦେଶୀ ମଦ ପିଇବା ପରେ କାହିଁକି ଅସୁସ୍ଥ ହେଲେ ? ମଦ ଅପମିଶ୍ରିତ ଥିଲା ନା ଅନ୍ୟ କୌଣସି କାରଣ ? ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଅବକାରୀ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମାଉନ୍ଦପୁର, ଜେନାପୁର, କରବାଲୁଆ ଗାଁରେ ଛାନଭିନ୍ କରୁଛନ୍ତି। ଏହି ଘଟଣାରେ କାହାକୁ ଗିରଫ କରାଯାଇନି । ଅନ୍ୟପଟେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମେଡିକାଲ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି ।  ପୋଲିସ ମାମଲାର ଅଧିକ ତଦନ୍ତ କରୁଛି । ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ।

You might also like