ପୁଅକୁ ହେଲାଣି ୧୭ ବର୍ଷ, ହେଲେ ଆଜି ଯାଏଁ ମାଆ ଶୁଣିନି ମା ଡାକ

ରେଢ଼ାଖୋଲ : ପୁଅକୁ ହେଲାଣି ୧୭ । ହେଲେ ଏବେବି କଅଁଳା ଶିଶୁ ଭଳି ବେକ ଭାଙ୍ଗି ପଡୁଛି । ସେମିତି ବିଛଣାରେ ପଡି ଛୋଟ ଛୁଆଙ୍କ ପରି ଚାହୁଁଛି । ନା କଥା ହେଉଛି ନା କିଛି ଜାଣିପାରୁଛି କି ବୁଝି ପାରୁଛି । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ ଅନ୍ତର୍ଗତ କୁକୁଡ଼ାବାହାଳି ଗାଁରେ ରୁହନ୍ତିଦିନ ମଜୁରିଆ ନିର୍ମଳ ସାହୁ । ଘରେ ସ୍ତ୍ରୀ ସଞ୍ଜୁକ୍ତା ଓ ଦୁଇ ପୁଅ ଝିଅ । ନିର୍ମଳଙ୍କ ବହାଘର ପରେ ପ୍ରଥମେ ପୁଅଟିଏ ଜନ୍ମ ହେଲା ବୋଲି ଖୁସିରେ ଫାଟିପଡି ଥିଲା ତାଙ୍କ ପରିବାର। ଶ୍ରଦ୍ଧାରେ ପୁଅର ନାଁ ଦେଇଥିଲେ ମିହିର । ହେଲେ ବିଧିର ବିଧାନ କିଛି ଅଲଗା ଥିଲା ବୋଧେ। ନିର୍ମଳଙ୍କ କହିବା ମୁତାବକ ମିହିର ଜନ୍ମ ହେବାର ତିନି ମାସ ପରେ ହଠାତ୍ ଅଜଣା ରୋଗର ଶିକାର ହେଲା । ତାପରେ ଦେଖାଗଲା କି ବୟସ ସିନା ବଢ଼ିଲା ହେଲେ ଶରୀର ସେମିତି ପିଲାଙ୍କ ଭଳି ରହିଗଲା ।

ମାସ ମାସ ବିତି ଯାଇଥିଲେ ବି ତାର ପାଟି ଫିଟୁ ନ ଥିଲା କି ବେକ ମଧ୍ଯ ମଜଭୁତ ନ ହୋଇ ଜନ୍ମ ବେଳର କଅଁଳ ଶିଶୁର ବେକ ପରି ରହିଯାଇ ଥିଲା । ଗୋଡ ହାତ ମଧ୍ଯ ସେହିଭଳି । ଏକମାତ୍ର ପୁଅର ଏପରି ଅବସ୍ଥା ଦେଖି ଦୁଃଖରେ ଭାଙ୍ଗି ପଡ଼ିଥିଲା ନିର୍ମଳଙ୍କ ପରିବାର । ପୁଅର ଚିକିତ୍ସା ପାଇଁ ପ୍ରଥମେ ରେଢ଼ାଖୋଲ, ସମ୍ବଲପୁର ଓ ତାପରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ । ଘରେ ଦିଓଳି ଦିମୁଠା ଖାଇବା ପାଇଁ ସଂଘର୍ଷ ଚାଲିଛି । ତା ଭିତରେ ବି ଜମିବାଡି ବିକ୍ରି କରି ପୁଅର ଚିକିତ୍ସା କରୁଛନ୍ତି । ହେଲେ କେତେଦିନ ଏଭଳି କରି ପାବେ । କାରଣ ଚିକିତ୍ସା ବାବଦରେ ଦରକାର ହେଉଛି ଅନେକ ଟଙ୍କା ।

ବାରମ୍ବାର ପୁଅକୁ ଡାକ୍ତରଖାନା ନେଇ ଚିକିତ୍ସା କରିବା ସତ୍ତ୍ୱେ ମଧ୍ୟ ତାର ସ୍ଵାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହୋଇ ପାରିଲା ନାହିଁ। କେତେଦିନ ଆଉ ଡାକ୍ତରଖାନା ନେଇପାରିବୁ ଜମି ବାଡ଼ି ବିକି ଯାହା ଥିଲା ସବୁ ସାରିଲୁଣି । ଶେଷରେ ନିରାଶ ହୋଇ ପୁଅର ଜୀବନକୁ ଭଗବାନଙ୍କ ଭରସାରେ ଛାଡି ଘରକୁ ନେଇ ଆସିଛୁ ବୋଲି କୋହଭରା କଣ୍ଠରେ ନିର୍ମଳଙ୍କ ସ୍ତ୍ରୀ କହିଛନ୍ତି । ତାପରେ ଦିନ ଗଡ଼ିଛି ଆଉ ଦୁଃଖ ବଢ଼ିଛି । ଏହାପରେ ଦୀର୍ଘ ବର୍ଷ ହେଲା ଖଟରେ ଶୋଇ ରହିଛି ମିହିର। ଇତିମଧ୍ୟରେ ମିହିରକୁ ୧୭ ବର୍ଷ ହୋଇଗଲାଣି । ହେଲେ ତା ପାଟିରୁ ମା ଶବ୍ଦଟିଏ ବାହାରି ନାହଁ ।

ଖାଇବା , ପିଇବା , କହିବା , ଚାଲିବା, ଶୌଚ ହେବା କିଛିବି କରିପାରୁନି ମିହିର। ସଦା ସର୍ବଦା ଖଟରେ ପଡି ରହିଛି । କଡ ବି ଲେଉଟାଇ ପାରୁ ନାହିଁ। ଖାଲି ଦେଖୁଛି ହସୁଛି ।ମା ଖୁଆଇ ଦେଲେ ଖାଉଛି । ପ୍ରତ୍ୟେକ ଦିନ ଔଷଧ ଖାଇଲେ ଯାଇ ଝାଡା ଯାଉଛି । ପୁଅକୁ କାଳେ କୁକୁର ଝାମ୍ପି ନେବ ସେ ସକାଶେ ସବୁବେଳେ ଯିଏ ହେଲେ ଜଣେ ପାଖରେ ଜଗି ରହୁଛି ବୋଲି ପାଖ ପୋଡଶୀ କହିଛନ୍ତି । …ପୁଅ ବଡ଼ ହେଲେ ଆମକୁ ପୋଷିବ ଆମ ର ଦେଖା ରେଖା କରିବା ଚିନ୍ତା କରିଥିଲୁ ହେଲେ ସବୁକିଛି ଓଲଟା ହୋଇଗଲା। ଭାଗ୍ଯକୁ ଆଦରି ଦୁଃଖ ଦୁର୍ଦ୍ଦଶାରେ ଆମେ ବଞ୍ଚିଛୁ ବୋଲି ନିର୍ମଳ କହିଛନ୍ତି।ସରକାରଙ୍କ ତରଫରୁ ମିହିରକୁ ମିଳୁଛି ମାସିକ ୧୨୦୦ ଟଙ୍କାର ଭତ୍ତା । ଯାହା ଔଷଧ ଖର୍ଚ୍ଚକୁ ପାଉ ନାହିଁ। ସବୁବେଳେ ବିଛଣାରେ ପଡ଼ି ରହୁଥିବାରୁ ପୁଅକୁ ଶୋଇବା ପାଇଁ ଭଲ ଖଟଟିଏ ଦରକାର । ମାସିକ ଭତ୍ତା ଟଙ୍କାକୁ ଆଉ କିଛି ବୃଦ୍ଧି କରାଗଲେ ସଂଘର୍ଷ ଟିକେ ସହଜ ହେବ । ସରକାରଙ୍କ ଠାରେ ଚିର ଋଣୀ ହୋଇ ରହିବୁ ବୋଲି ନିର୍ମଳ ଓ ତାଙ୍କ ସ୍ତ୍ରୀ ସଞ୍ଜୁକ୍ତା କହିଛନ୍ତି। ତେବେ ଏ ପରିବାରକୁ କେବଳ ସରକାରୀ ସହାୟତା ବଞ୍ଚାଇ ପାରିବନି । ଆଜୀବନ ଯଦି ଏଭଳି ପିଲାକୁ ସମ୍ଭାଳିବାର ଅଛି ତେବେ ବଦାନ୍ୟ ବ୍ୟକ୍ତିମାନେ ବି ନିର୍ମଳଙ୍କ ପରିବାରକୁ ସହାୟତା ଯୋଗାଇ ଦେବେ ବୋଲି ଆମର ଆଶା ଓ ବିଶ୍ୱାସ ।