ରଖେ ହରି ତ ମାରେ କିଏ, ଦୀର୍ଘ ୨୦ କିମି ଗଭୀର ନଦୀରେ ଭାସିବା ପରେ ଉଦ୍ଧାର ହେଲା ନାବାଳକ

ଯାଜପୁର(କେନ୍ୟୁଜ): କଥାରେ ଅଛି ରଖେ ହରି ତ ମାରେ କିଏ। ବ୍ରାହ୍ମଣୀ ନଦୀରେ ବନ୍ୟାଜଳରେ ଭାସି ଆସୁଥିବା ନାବାଳକ ଜୀବିତ ଅବସ୍ଥାରେ ଉଦ୍ଧାର। ଉଦ୍ଧାର କଲେ ଯାଜପୁର ଜିଲ୍ଲା ଜେନାପୁର ଥାନା ଏଣ୍ଡଳବା ଅଞ୍ଚଳର ନାଉରିଆ ଓ ସ୍ଥାନୀୟ ଲୋକେ। ଗଭୀର ନଦୀରେ ଦୀର୍ଘ ୨୦ କିଲୋମିଟରର ଜଳଯାତ୍ରା କରିବା ପରେ ଉଦ୍ଧାର ହୋଇଥିବା ସୂଚନା। ଘଟଣାରୁ ପ୍ରକାଶ ଯେ, ଆଜି ସକାଳ ପ୍ରାୟ ୧୦ଟା ସମୟରେ ଏଣ୍ଡଳବାର ଅଭିମନ୍ୟୁ ଦାଶଙ୍କ ନିକଟକୁ ଢେଙ୍କାନାଳ ଜିଲ୍ଲାର ପଥରକଣି ଗ୍ରାମରୁ ଏକ ଫୋନ କଲ ଆସିଥିଲା କି ଜଣେ ପିଲା ବ୍ରାହ୍ମଣୀ ନଦୀର ବନ୍ୟାଜଳରେ ଭାସି ଯାଉଛି । ଏହି ଖବର ପାଇ ଗ୍ରାମର କିଛି ଲୋକେ ନାବିକ ଭାଇମାନଙ୍କୁ ଜଣାଇଥିଲେ।

ବ୍ରାହ୍ମଣୀ ନଦୀ କୂଳର ଏଣ୍ଡଳବା ଘାଟରେ ଥିବା ନାବିକ ଭାଇ ଓ ସ୍ଥାନୀୟ ଲୋକେ ଅପେକ୍ଷା କରି ରହିଥିଲେ । ତେବେ ଦୀର୍ଘ ଦୁଇ ଘଣ୍ଟାପରେ ନଦୀ ଭିତରୁ ଏକ ହାତ ହଲାଇବାର ଦୃଶ୍ୟ ଦେଖିବାକୁ ପାଇଥିଲେ ଏବଂ ସଙ୍ଗେ ସଙ୍ଗେ ପାଖରେ ଥିବା ଡଙ୍ଗାକୁ ନେଇ ନଦୀ ଭିତରକୁ ଚାଲି ଯାଇଥିଲେ। ସେଠାରୁ ୫ କିଲୋମିଟର ତଳେ ବାଲିକୁଦିଆ ନଦୀ କୂଳରେ ଉକ୍ତ ନାବାଳକକୁ ଜୀବିତ ଅବସ୍ଥାରେ ଉଦ୍ଧାର କରି ଡଙ୍ଗାରେ ନେଇ ଆସିଥିଲେ। ଉଦ୍ଧାର ପରେ ନାବାଳକ ଜଣକ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସ୍ଥିତ ପଣ୍ଡୁଆ ଗ୍ରାମର ସୁଶାନ୍ତ ବାରିକଙ୍କ ପୁଅ ଅଲ୍ହା ବାରିକ (୧୭) ବୋଲି ଜଣା ପଡ଼ିଥିଲେ। ଢେ଼ଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ପଥରକଣି ଗ୍ରାମରେ ରହୁଥିବା ତାଙ୍କ ମାମୁଁ ଘରେ ରହୁଥିଲେ । ତେବେ ସେ ଆଜି ନଦୀକୁ ଗାଧୋଇବା ପାଇଁ ଯାଇଥିବା ସମୟରେ ବନ୍ୟା ଜଳରେ ଭାସି ଆସିଥିଲେ।

ଉଦ୍ଧାର ପରେ ଜେନାପୁର ଥାନାକୁ ଖବର ଦିଆଯିବା ସହିତ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ଦାନଗଦି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଏଥିସହିତ ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ। ତେବେ ନାବାଳକ ଜଣକ ନଦୀରେ ଦୀର୍ଘ ୨୦କିମି ଜଳାଯାତ୍ରା କରିବା ପରେ ଜୀବିତ ଅବସ୍ଥାରେ ଉଦ୍ଧାର ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏପଟେ ତତକ୍ଷଣାତ ଖବର ପାଇ ନାବାଳକକୁ ଉଦ୍ଧାର କରିଥିବା ନାଉରିଆ ଓ କିଛି ସ୍ବେଛାସେବୀଙ୍କୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।