ଘରକୁ ପଶିଲା କାର୍, ଗାଡ଼ି ଭିତରୁ ବାହାରିଲା ୧୮୪ କେଜି ଗଞ୍ଜେଇ

ସୁବର୍ଣ୍ଣପୁର : ଗାଡ଼ିଟି ଘରେ ଧକ୍କା ଦେଇ ଘର ଭାଙ୍ଗିବା ସହ ଗାଡ଼ିର ସାମ୍ନାପଟ ଭାଙ୍ଗିରୁଜି ଚୁର୍ମାର୍ ହୋଇଯାଇଛି । ଏ କାଣ୍ଡ ଦେଖି ଅନୁମାନ କରାଯାଉଛି କି କୌଣସି ନିଶାସକ୍ତ ଡ୍ରାଇଭରର କାମ । କାହିଁକି କିଏ ବା ଏମିତି ରାସ୍ତାରେ ଯିବା ବେଳେ ଓଲଟି ଘର ଉପରେ ଗାଡ଼ି ଆଣି ଚଢ଼ାଇବ । ସେ ପୁଣି ଭୋରୁ ଭୋରୁ । ଘରେ ଥିବା ପରିବାର ଲୋକଙ୍କ ଜୀବନ ସିନା ବଞ୍ଚିଯାଇଛି । କିନ୍ତୁ ତାଙ୍କ ଘର ଭାଙ୍ଗି ରୁଜି ଯାଇଛି ।

ତେବେ ସମୟ ପ୍ରାୟ ଭୋର୍ ୫ଟା ହେବ ହଠାତ୍ ଘର ଉପରକୁ ମାଡ଼ି ଆସିଲା କାର୍ । ଆଉ ଘର କାନ୍ଥ ଭାଙ୍ଗି ସମସ୍ତଙ୍କୁ ନିଦରୁ ଉଠାଇଦେଲା । ନିଦରେ ଶୋଇଥିବା ବେଳେ ହଠାତ୍ ଏପରି କାନ୍ଥ ଭାଙ୍ଗିବାରୁ ପରିବାର ଲୋକେ ଧଡ଼ପଡ଼ ହୋଇ ଆସି ଦେଖିଥିଲେ କଣ ହେଲା ବୋଲି । ହେଲେ ଦେଖିଲା ବେଳକୁ କାର୍ ସିଧା ଆସି ଘର ଉପରେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ସଂଶାମୁରାରେ ।

ଆଜି ସକାଳୁ ଭୋର୍ ପାଞ୍ଚଟା ସମୟରେ ଏକ କାର୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଘରକୁ ଧକ୍କା ଦେଇଥିଲା । ଯାହା ଫଳରେ ଘରଟି ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଥିଲା । ଘରେ ସାତଜଣ ସଦସ୍ୟ ଥିବାବେଳେ ସେହି ସମୟରେ ଘରେ ବାଇସ ବର୍ଷୀୟ ଦୂର୍ବାଦଳ ସେଥୁଆ ଶୋଇଥିଲେ । କାନ୍ଥ ଭାଙ୍ଗି ତାଙ୍କ ଗୋଡ଼ ଉପରେ ପଡିଥିଲା । ଆଉ ଏହି ସମ୍ପୂର୍ଣ୍ଣ କାଣ୍ଡ ଘଟାଇ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ମାରିଥିଲା । କାରରେ ନିଶା ଦ୍ରବ୍ୟ ଥିବା ସନ୍ଦେହ କରି ନିକଟସ୍ଥ ମହଦେପାଲି ପୋଲିସ କାରକୁ ଅଟକ ରଖି ଥିଲେ l

ମାଜିଷ୍ଟ୍ରେଟ ସୋନପୁର ଅତିରିକ୍ତତହସିଲଦାର ଯୁଗେଶ୍ୱର୍ ଧରୁଆଙ୍କ ଉପସ୍ଥିତିରେ ଜବତ ପ୍ରକ୍ରିୟା କରାଗଲା । ଏଥିରେ ବିନିକା ଥାନା ଏସ ଆଇ ଅନିଲ କୁମାର ବେହେରା ଓ ମହଦେବପାଲି ଏ ଏସ୍ ଆଇ କୃଷ୍ଣଚନ୍ଦ୍ର ସେଠୀ ଉପସ୍ଥିତ ଥିଲେ । ଜବତ କଲା ବେଳକୁ କାର ଭିତରୁ ୧୮୪ ଟି ଜରି ସିଲ ବନ୍ଧା ପେକେଟ ଜବତ କରାଗଲା । ସମୁଦାୟ ଗଞ୍ଜେଇ ୧୮୪ କେଜି ଓଜନ କରାଗଲା ଯାହାକୁ ଏଗାର ଗୋଟି ବସ୍ତା ରେ ବାନ୍ଧି ପୋଲିସ ଜବତ କରି ନିଜ ଭାନ ରେ ଭର୍ତ୍ତି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like