କେନ୍ଦ୍ରରୁ ଫେରିଲେ ଆଇପିଏସ୍ ୱାଇ.ବି ଖୁରାନିଆ, ହେବେ ପରବର୍ତ୍ତୀ ପୋଲିସ ଡିଜି !

ଭୁବନେଶ୍ୱର : ୧୯୯୦ ବ୍ୟାଚର ଓଡିଶା କ୍ୟାଡ଼ର ଆଇପିଏସ ଯୋଗେଶ ବାହାଦୁର ଖୁରାନିଆ ହୋଇ ପାରନ୍ତି ଓଡ଼ିଶାର ପରବର୍ତ୍ତୀ ପୋଲିସ ଡିଜି । କେନ୍ଦ୍ରୀୟ ଡେପୁଟେସନ ଅବଧି ସରିବା ପୂର୍ବରୁ ଓଡିଶା ଫେରି ଆସିଛନ୍ତି ୱାଇ ବି ଖୁରାନିଆ । କେନ୍ଦ୍ରରେ ବିଏସଫ ମୁଖ୍ୟାଳୟ ନୂଆଦିଲ୍ଲୀରେ ସ୍ୱତନ୍ତ୍ର ଡିଜି ଭାବେ ଅବସ୍ଥାପିତ ଥିଲେ ଖୁରାନିଆ। ୧୯୯୦ ବ୍ୟାଚର ଓଡିଶା କ୍ୟାଡ଼ର ଏହି ଆଇପିଏସ ଓଡିଶାରେ ବେଶ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି।

ସେ ନୟାଗଡ଼, ଯାଜପୁର, ରାଉରକେଲା, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ଏସପି ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ଦକ୍ଷିଣାଞ୍ଚଳ ଓ ଉତ୍ତରାଞ୍ଚଳ ରେଞ୍ଜ ଡ଼ିଆଇଜି, କମିଶନରେଟ ପୋଲିସରେ ଅତିରିକ୍ତ ପୋଲିସ କମିଶନର ଓ ପୋଲିସ କମିଶନର ଭାବେ ଗୁରୁ ଦାୟିତ୍ୱ ରାଜ୍ୟରେ ସମ୍ଭାଳିଥିଲେ। ଏବେ ଡେପୁଟେସନ ଅବଧି ସରିବା ପୂର୍ବରୁ ଓଡିଶା ଫେରୁଥିବା ବେଳେ ସେ ପୋଲିସ ଡିଜି ହେବାର ସମ୍ଭାବନା ଅଧିକ ରହିଛି।

ସୂଚନାଯୋଗ୍ୟ ଯେ ୨୦୨୩ ଡିସେମ୍ବର ୩୧ ତାରିଖରେ ଓଡ଼ିଶାର ତତ୍‌କାଳୀନ ଡିଜି ସୁନିଲ ବଂଶଲଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। କିନ୍ତୁ ପରବର୍ତ୍ତୀ ଡିଜି ନିଯୁକ୍ତି ନେଇ ୟୁପିଏସ୍‌ସିର ବୈଠକ ବସି ନଥିବାରୁ ରାଜ୍ୟ ସରକାର ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଅରୁଣ ଷଡ଼ଙ୍ଗୀଙ୍କୁ କାର୍ଯ୍ୟକାରୀ ଡିଜି ଭାବେ ନିଯୁକ୍ତି ଦେଇଥିଲେ। ସାତ ମାସ ହେଲା ଶ୍ରୀ ଷଡ଼ଙ୍ଗୀ ଏହି ପଦବିରେ ରହିଛନ୍ତି। ଶ୍ରୀ ଖୁରାନିଆ ଓଡ଼ିଶାରେ ପରବର୍ତ୍ତୀ ଡିଜି ଦୌଡ଼ରେ ଥିଲେ। କିନ୍ତୁ କେନ୍ଦ୍ର ସରକାରଙ୍କ ଏମିତି ଅତର୍କିତ କାର୍ଯ୍ୟାନୁଷ୍ଠାନ ପରେ ରାଜ୍ୟ ସରକାରଙ୍କ ପଦକ୍ଷେପ କ’ଣ ହେବ, ତା’ଉପରେ ସମସ୍ତଙ୍କ ନଜର ରହିଛି।

You might also like