ଆଠମଲ୍ଲିକ: ଟ୍ରିପଲ ମର୍ଡର ମାମଲାରେ ୨ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ଆଠମଲ୍ଲିକ: ଟ୍ରିପଲ ମର୍ଡର ମାମଲାରେ ୨ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି । ଦୁଇ ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ । ଦୁଇ ଦୋଷୀ ହେଲେ ପ୍ରକାଶ ବେହେରା ଓ ନନ୍ଦକିଶୋର ସେଠୀ । ଅନୁଗୋଳ ଜିଲ୍ଲା କିଶୋରନଗରର ଗାମ୍ଭାରୀମାଳିଆ ଗାଁରେ ହୋଇଥିଲା ବୀଭତ୍ସ ହତ୍ୟା ।
ସୂଚନା ଅନୁସାରେ ୨୦୧୭ ଅକ୍ଟୋବର ୯ ତାରିଖରେ ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା କରିଥିଲେ ପ୍ରକାଶ ଓ ନନ୍ଦ କିଶୋର । ବିରଞ୍ଚି ନାୟକ, ତାଙ୍କ ପତ୍ନୀ ତାରିଣୀ ଓ ୪ ବର୍ଷର ପୁଅ ନବକୁ ହତ୍ୟା କରାଯାଇଥିଲା । ତିନିଟି ଭିନ୍ନ ଭିନ୍ନ ସ୍ଥାନରୁ ମିଳିଥିଲା ତିନି ଜଣଙ୍କ ମୃତ ଦେହ । ତାରିଣୀଙ୍କ ମୃତ ଦେହ ଘର ନିକଟରୁ ମିଳିଥିଲା । ବିରଞ୍ଚି ଓ ନବର ମୃତ ଦେହ ଘରଠାରୁ ଦୂରରେ ମିଳିଥିଲା । ନନ୍ଦ କିଶୋରଙ୍କ ସମ୍ପର୍କୀୟ ପ୍ରକାଶ ବେହେରା । ଉଭୟ ବିରଞ୍ଚିଙ୍କ ଘରୁ ଲୁଟ୍ ପାଇଁ ଉଦ୍ୟମ କରିଥିଲେ । ଆଉ ଏହି ଲୁଟ୍ କରିବା ଉଦ୍ଦେଶ୍ୟରେ ତିନି ଜଣଙ୍କୁ ହତ୍ୟା କରିଥିଲେ ଦୁଇ ଜଣ ।