ବିଦେଶୀଙ୍କୁ ବେଆଇନ ସିମ୍ ବିକ୍ରି ଅଭିଯୋଗରେ ୨ ଗିରଫ, ୭୦ ସିମ୍ ସହ ୨୨ ଡଲାର ଜବତ

ପୁଳା ପୁଳା ସିମ୍ ସହ ବିଦେଶୀ ଟଙ୍କା । ଟଙ୍କା କମେଇବା ପାଇଁ ଚାଲିଥିଲା ବଢ଼ିଆ ପ୍ରସ୍ତୁତି । କିନ୍ତୁ ବିଶେଷ ସୂତ୍ରରୁ ଖବର ପାଇ ଧରିନେଲା ପୋଲିସ । ବିଭିନ୍ନ କମ୍ପାନୀର ସିମ୍ କୁ ନେଇ ବିଦେଶୀ ଲୋକଙ୍କୁ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଗୋପାଳପୁର ବନ୍ଦର ପରିସରରେ ବିଦେଶୀ ଲୋକଙ୍କୁ ବେଆଇନ ସିମ୍ ବିକ୍ରି କରି ମୋଟା ଅଙ୍କର ଅର୍ଥ ଆଦାୟ କରିବା ଅଭିଯୋଗରେ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ତାଙ୍କ ଠାରୁ ଯୁନାଇଟେଡ୍ ଅଫ ଆମେରିକାର ୨୨ ଡଲାର ଟଙ୍କା ସହ ବିଭିନ୍ନ କମ୍ପାନୀର ୭୦ ସିମ ଜବତ କରିଛି । ଗିରଫ ଦ୍ବୟ ହେଲେ କତୁରୁ ଗାଁର ଜି. ସାମ୍ବା ଓ ମୋବାଇଲ ଦୋକାନୀ ଏ. କାମେୟା । ଜି. ସାମ୍ବା ମୋବାଇଲ ଦୋକାନୀ ଏ. କାମେୟା ଠାରୁ ସିମ୍ କିଣି ଗୋପାଳପୁର ପୋର୍ଟର ବିଦେଶୀ ଜାହାଜରେ ଆସୁଥିବା ବିଦେଶୀ ଲୋକଙ୍କୁ ବିକ୍ରି କରୁଥିଲା । ଆର୍ଯ୍ୟପଲ୍ଲୀ ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଦୁଇ ଜଣଙ୍କୁ ଗିରଫ କରିଛି । ତେବେ ସେମାନେ କେତେ ଦିନ ଧରି ଏ ବେଆଇନ ବ୍ୟବସାୟ କରୁଥିଲେ ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଛତ୍ରପୁର ଏସଡିପିଓ ଚନ୍ଦନ ଘଢ଼େଇ ସୂଚନା ଦେଇଛନ୍ତି ।
ବିଦେଶରୁ ଆସୁଥିବା ଲୋକଙ୍କୁ ଏମିତି ସିମ୍ ବିକ୍ରି କରିବା କେତେ ଯେ ବଡ଼ ଅପରାଧ ତାହା ସମସ୍ତଙ୍କୁ ଜଣା । ଏହା ପରେ ବି ଅଭିଯୁକ୍ତମାନେ ପୋଲିସ ଆଖିରେ ଧୂଳି ଦେଇ ଏମିତି ବେଆଇନ୍ ବ୍ୟବସାୟ କରୁଥିଲେ । ତେବେ ଏହି ବ୍ୟବସାୟରେ ଆଉ କେହି ସାମିଲ ଅଛନ୍ତି କି ନାହିଁ ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।
Also Read: ସାଇବର ଅପରାଧୀଙ୍କର ନୂଆ ଧରଣର ଠକେଇ, ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କଲେ ମିଳିବ ପ୍ରଚୁର ଅର୍ଥ ରାଶି