୨୧ ବର୍ଷ ପରେ ଜେଲରୁ ମୁକ୍ତ ହେଲେ କଏଦି, ପଶ୍ଚାତାପ କରି ବ୍ୟବହାରରେ ଆଣିଲେ ପରିବର୍ତ୍ତନ

ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବୁ ଏବଂ ଶାନ୍ତି ପୂର୍ଣ୍ଣ ଜୀବନ ଯାପନ କରିବୁ । ଏକଥା କହିଥିଲେ ୨୧ ବର୍ଷ ଧରି ଜେଲରେ ବନ୍ଦୀ ହୋଇ ରହିଥିବା ବ୍ୟକ୍ତି । ଆପଣଙ୍କୁ ଏକଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ, ଯଦି ଜଣେ ବ୍ୟକ୍ତି ହତ୍ୟା ମାମଲାରେ ଜେଲକୁ ଯାଏ ସେ ଆଉ ଫେରିନଥାଏ । ଏଥି ସହ ଜେଲରେ ତାଙ୍କୁ ବହୁତ କଷ୍ଟରେ ରହିବାକୁ ପଡିଥାଏ । କିନ୍ତୁ ଏବେ ଏକ ଖବର ସାମ୍ନାକୁ ଆସିଛି ଯେଉଁଥିରେ ହତ୍ୟାକାରୀଙ୍କୁ ଜେଲ୍ କତୃପକ୍ଷ ମୁକ୍ତ ପାଇଁ ରାଜ୍ୟ ଗୃହ ବିଭାଗକୁ ସୁପାରିଶ କରିଥିଲେ । ଏହି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ ।
ପ୍ରାୟ ଦୁଇ ଦଶନ୍ଧି ଧରି ଭଦ୍ରକ ଜିଲ୍ଲା କାରାଗାରରେ ସଜା କାଟୁଥିବା ଦୁଇ ଜଣ ଆଜୀବନ କଏଦୀଙ୍କୁ ଆଜି ଜେଲରୁ ମୁକ୍ତ କରାଯାଇଛି । ଗୃହ ବିଭାଗ ନିର୍ଦ୍ଦେଶରେ ସେମାନଙ୍କୁ ଜେଲରୁ ମୁକ୍ତ କରାଯାଇଛି । ଜେଲରୁ ମୁକୁଳିଥିବା ବ୍ୟକ୍ତି ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ବେନ୍ତାଳ ପଞ୍ଚାୟତ ଜଗନ୍ନାଥ ପୁର ଗ୍ରାମର ବିଷ୍ଣୁ ମୋହନ ବେହେରା, ଏବଂ ଅନ୍ୟ ଜଣେ ହେଲେ ଆଗରପଡା ଥାନା କୁସୁନୁ ପୁର ଗ୍ରାମର ପିତାମ୍ବର ଗିରି । ତେବେ ଏହି ଦୁଇ ଜଣ ହତ୍ୟାକାଣ୍ଡ ମାମଲାରେ ଜେଲରେ ଥିଲେ ।
ପିତାମ୍ବର ଦୀର୍ଘ ୧୭ ବର୍ଷରୁ ଅଧିକ ସମୟ ଜେଲରେ ଥିଲାବେଳେ, ବିଷ୍ଣୁ ମୋହନ ୨୧ ବର୍ଷରୁ ଅଧିକ ସମୟ ଧରି ଜେଲରେ କଏଦୀ ଭାବେ ବନ୍ଦୀ ଜୀବନ ବିତାଉଥିଲେ । ତେବେ ଜେଲରେ ରହିବା ପରେ ସେମାନଙ୍କ କାର୍ଯ୍ୟ ଓ ବ୍ୟବହାରରେ ବ୍ୟାପକ ପରିବର୍ତ୍ତନ ଆସିଥିଲା । ସେମାନେ ପୁଣି ଥରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଶାନ୍ତି ପୂର୍ଣ୍ଣ ଜୀବନ ଯାପନ କରିବେ ବୋଲି ଜେଲ କତୃପକ୍ଷଙ୍କୁ କହିଥିଲେ । ତେବେ ଜେଲ କତୃପକ୍ଷ ଏହି ଦୁଇ ଜଣଙ୍କ କାର୍ଯ୍ୟ ଓ ବ୍ୟବହାରରେ ସନ୍ତୋଷ ପ୍ରକାଶ କରିବା ସହିତ ଏମାନଙ୍କୁ ଜେଲରୁ ମୁକ୍ତ ପାଇଁ ରାଜ୍ୟ ଗୃହ ବିଭାଗକୁ ସୁପାରିଶ କରିଥିଲେ ।
ତେବେ ଶେଷରେ ଗୃହ ବିଭାଗ ଏହି ଦୁଇ ଜଣଙ୍କ ସମ୍ପର୍କରେ ସବୁ ଖବର ସଂଗ୍ରହ ପରେ ସେମାନଙ୍କୁ ମୁକ୍ତ ପାଇଁ ଭଦ୍ରକ ଜେଲ କତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁଯାୟୀ ଗତକାଲି ଗୁରୁବାର ଏହି ଦୁଇ ଜଣଙ୍କୁ ଭଦ୍ରକ ଜିଲ୍ଲା କାରାଗାରରୁ ମୁକ୍ତ କରାଯାଇଛି । ଜେଲ୍ ରୁ ବାହାରିବା ପରେ ଖୁସି ମନରେ ନିଜ ଘରକୁ ଫେରିଛନ୍ତି ଏମାନେ । ତେବେ ଏହା ଦ୍ୱାରା ଅନ୍ୟ କଏଦୀ ମାନେ ନିଜକୁ ପଶ୍ଚାତାପ କରି ନିଜ କାର୍ଯ୍ୟ ଓ ବ୍ୟବହାରରେ ପରିବର୍ତ୍ତନ ଆଣିପାରିବେ ବୋଲି ଜେଲ୍ ଅଧିକ୍ଷକ କହିଛନ୍ତି ।
ପିତାମ୍ବର ଏବଂ ବିଷ୍ଣୁ ମୋହନଙ୍କର କାର୍ଯ୍ୟକଳାପକୁ ଦେଖି ଜେଲ କତୃପକ୍ଷ ଆଶ୍ଚର୍ଯ୍ୟ ହୋଇ ଜେଲରୁ ମୁକ୍ତି କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଯାହା ଏକ ବଡ଼ ଖବର । ଏଥି ସହ ଜେଲ ଅଧିକ୍ଷକ ମଧ୍ୟ ଅନ୍ୟ କଏଦୀ ମାନଙ୍କୁ କହିଥିଲେ ଯେ, ନିଜେ କରିଥିବା ନିଜର କୁକର୍ମ ପାଇଁ ପଶ୍ଚାତାପ କରି ଭଲ କାର୍ଯ୍ୟ କରିବା ସହ ନିଜ ବ୍ୟବହାରରେ ପରିବର୍ତ୍ତନ ଆଣ । ଯାହା ତୁମ ଭବିଷ୍ୟତ ପାଇଁ ଭଲ ହେବ ।