୨ ବିଜେପି ନେତାଙ୍କୁ ଗାଡ଼ି ଚଢାଇ ହତ୍ୟା ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ, ଗୁମର ଖୋଲିବ ପୋଲିସ
ସମ୍ବଲପୁର: ସମ୍ବଲପୁରରେ ୨ ବିଜେପି ନେତାଙ୍କୁ ଗାଡ଼ି ଚଢାଇ ହତ୍ୟା ଘଟଣାରେ ରିମାଣ୍ଡରେ ଆସିବ ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ଡ୍ରାଇଭର ପ୍ରସନ୍ନ ଜେନାମଣି ବାରମ୍ବାର ନିଜ ବୟାନ ବଦଳାଉଥିବା ବେଳେ, ସତ ଆଦାୟ କରିବାକୁ ୭ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିଥିଲା ବୁର୍ଲା ପୋଲିସ । ତେବେ ୩ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି JMFC କୋର୍ଟ । ଗତରାତିରେ ଅଭିଯୁକ୍ତ ଡ୍ରାଇଭରକୁ କୋର୍ଟଚାଲାଣ କରାଯାଇଥିଲା ।
ଡ୍ରାଇଭର ଜଣକ କ’ଣ ପାଇଁ ଏପରି ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଘଟାଇଲେ ? ଘଟଣା ବେଳେ ତାଙ୍କ ସହ କିଏ ଥିଲେ କି ? ବିଜେପି ନେତାଙ୍କୁ ହତ୍ୟା ପାଇଁ କାହାଠୁ ସୁପାରୀ ପାଇଥିଲା କି ଡ୍ରାଇଭର ? ଏ ସବୁ ଦିଗକୁ ନେଇ ତଦନ୍ତ ଜାରି ଥିବା ବେଳେ, ୩ ଦିନିଆ ରିମାଣ୍ଡ ବେଳେ ଅଭିଯୁକ୍ତକୁ ଘାଣ୍ଟିବ ପୋଲିସ । ଅଭିଯୁକ୍ତ ବାରମ୍ବାର ବୟାନ ବଦଳାଉଥିବାରୁ ବଢୁଛି ସନ୍ଦେହ। ଡ୍ରାଇଭରଙ୍କ ନାଁରେ ହତ୍ୟା ମାମଲା ରୁଜୁ । ଗାଡ଼ି ଚଳାଇବାବେଳେ ଆଖି ଲାଖିଯାଇଥିବା କହିଛି ହାଇୱା ଡ୍ରାଇଭର। ଶନିବାର ବିଳମ୍ବିତ ରାତିରେ ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥର କଣ୍ଟାପାଲି ଓଭରବ୍ରିଜ ନିକଟରେ ଏକ କାରକୁ ହାଇୱା ଧକ୍କା ଦେବାରୁ ୨ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଥିଲେ । ଦୁଇ ମୃତକ ହେଲେ ବିଜେପିର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆ। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା ।