ଛତିଶଗଡ଼ର ସିଲଗେର ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ପୋରଣ, ୨ ଯବାନ ସହିଦ
ମାଲକାନଗିରି : ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସିଲଗେର ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ପୋରଣ । ଏହି ଘଟଣାରେ ଦୁଇ ଯବାନ ସହିଦ ହୋଇଥିବା ବେଳେ ଆଉ କିଛି ଯବାନ ଗୁରୁତର ହୋଇଛନ୍ତି । ଟ୍ରକ ଯୋଗେ ଯବାନ ଯାଉଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ପୋରଣ ଘଟିଥିଲା । ନକ୍ସଲମାନେ ପଡୋଶୀ ଛତିଶଗଡ଼ର ସୁକମା ଜିଲ୍ଲାରେ ଆଜି (ରବିବାର) ବଡ଼ଧରଣର ଆକ୍ରମଣ କରିଛନ୍ତି । ଜଗରଗୁଣ୍ଡା ଥାନା ଅଞ୍ଚଳରେ ନକ୍ସଲମାନଙ୍କ ଦ୍ବାରା ଖଂଜା ଯାଇଥିବା ଆଇଇଡି ବିସ୍ଫୋରଣରେ ସିଆରପିଏଫ୍ କୋବ୍ରା ୨୦୧ ବାଟାଲିୟନ୍ର ୨ ଜଣ ଯବାନ ସହିଦ ହୋଇଛନ୍ତି । ସେହିପରି ଏକାଧିକ ସୁରକ୍ଷାକର୍ମୀ ଆହତ ହୋଇଥିବା ନେଇ ସୁକମା ପୁଲିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ସିଆରପିଏଫ୍ କୋବ୍ରା ୨୦୧ ବାଟାଲିଅନର ଯବାନମାନେ ଆଜି ସକାଳୁ ସିଲଗେର ଅଞ୍ଚଳକୁ ସର୍ଚ୍ଚ ଅପରେସନରେ ଯାଇଥିଲେ । ପୂର୍ବରୁ ନକ୍ସଲମାନେ ଯବାନଙ୍କୁ ଟାର୍ଗେଟ କରି ଆଇଇଡି ଖଂଜି ଥିଲେ । ଟ୍ରକ୍ ଖଂଜା ଯାଇଥିବା ଲ୍ୟାଣ୍ଡମାଇନ ଉପର ଦେଇ ଅତିକ୍ରମ କରୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ଆହତ ଯବାନମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନକ୍ସଲ ଗତିବିଧି ନେଇ ସୂଚନା ମିଳିବା ପରେ ଅତିରିକ୍ତ ସୁରକ୍ଷାକର୍ମୀ ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି ।