ଟ୍ରେନ୍‌ ଧକ୍କାରେ ୨ ହାତୀ ଗୁରୁତର ଘଟଣା: ଗୁରୁତର ଗୋଟିଏ ହାତୀ ଛୁଆକୁ ଟ୍ରାଙ୍କୁଲାଇଜ୍ କଲା ବନ ବିଭାଗ

ରାଉରକେଲା: ମା’ ଓ ହାତୀ ଛୁଆକୁ କରାଗଲା ଟ୍ରାଙ୍କୁଲାଇଜ। ଗତକାଲି ବିଳମ୍ବିତ ରାତିରେ ମା’ ହାତୀ ଓ ଗୋଡ଼ରେ ଆଘାତ ଲାଗିଥିବା ହାତୀ ଛୁଆକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିଥିଲେ ବନବିଭାଗ । ଚିକିତ୍ସା ପରେ ମା’ ହାତୀ କୁ ଜଙ୍ଗଲକୁ ଛାଡି ଦିଆଯାଇଛି ।  ହାତୀ ଛୁଆକୁ ଚିକିତ୍ସା ପରେ ଭୁବନେଶ୍ୱରକୁ ନିଆଯାଉଛି । ମାଲବାହୀ ଟ୍ରେନ ଧକ୍କାରେ ହାତୀ ପଲରେ ଥିବା ଗୋଟିଏ ହାତୀ ଛୁଆ ମୃତ୍ୟୁ ବରଣ କରିଥିଲା ।  ଟ୍ରେନ ଦୁର୍ଘଟଣାରେ ଆହତ ଅନ୍ୟ ଏକ ଦୁଇ ବର୍ଷର ହାତୀ ଛୁଆକୁ ନେଇ ବନ୍ଧମୁଣ୍ଡା ସି କ୍ୟାବିନ ନିକଟସ୍ଥ ଜଙ୍ଗଲରେ ଥିଲା । କଦଳୀ, ତରଭୁଜ ଓ ପିଇବା ପାଇଁ ପାଣି ରଖି ଜଙ୍ଗଲରୁ ଖୋଲା ସ୍ଥାନକୁ ଆଣିବା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ ବନବିଭାଗ ।  ଏହା ପରେ ଗତକାଲି ବିଳମ୍ବିତ ରାତିରେ ହାତୀ ଛୁଆକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା ପରେ ଭୁବନେଶ୍ୱର ନନ୍ଦନକାନନକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ରହିଛି ।

ସୂଚନା ଅନୁସାରେ ସ୍ଥାନୀୟ ବନ୍ଧମୁଣ୍ଡା ରେଳବାଇ ଅନ୍ତର୍ଗତ ଏ-କେବିନ ଓ ଆର୍‌‌-କେବିନ ମଝିରେ ଥିବା ରେଳ ଧାରଣାକୁ ରାତି ପ୍ରାୟ ୯ଟା ୧୫ ମିନିଟରେ ୨୭ଟି ଥିବା ଏକ ହାତୀପଲ ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ଏକ ମାଲବାହୀ ଟ୍ରେନ ଆସିଯିବାରୁ ଟ୍ରେନ ଧକ୍କାରେ ଛୁଆ ହାତୀର ମୃତ୍ୟୁ ଘଟିଥିଲା । ଏହାପରେ ଅନ୍ୟ ହାତୀମାନେ ହାତୀ ଛୁଆର ଶବକୁ ଜଗି ରହିବା ସହ ଯିଏ ଯାଉଛି ତାକୁ ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିଲେ  ।  ଏହି ଘଟଣା ପରେ ଉକ୍ତ ରାସ୍ତାରେ ରେଳ ଚଳାଚଳ ବନ୍ଦ ରହିବା ସହ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।