ବାଙ୍କୀ: ବାଙ୍କୀର ତାଳବସ୍ତ – ବିଲିପଡା ରାସ୍ତା ଉପରେ ଚାଲିଲା ମହାନଦୀ ପାଣି । ମହାନଦୀ ଫୁଲିବା ପରେ ଶାଖା ନଦୀ ଉଛୁଳୁଛି । ତାଳବସ୍ତ-ବିଲିପଡା ରାସ୍ତାର ଦୁଇ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଛି । ଏହି ରାସ୍ତାରେ ବାଙ୍କୀ କୁ ଗମନା ଗମନ ଠପ୍ ହୋଇଯାଇଛି । ଜଳ ସ୍ତର ବଢ଼ୁ ଥିବାରୁ ଆହୁରି ଅଧିକ ପାଣି ଆସିବା ସମ୍ଭାବନା ରହିଛି। ଶହ ଶହ ହେକ୍ଟର ଜମିରେ ପାଣି ମାଡି ଯାଇଛି । ଖରିଫ ଧାନ ଫସଲ ପ୍ରଭାବିତ ହୋଇଛି ।
ସେପଟେ ଲଗାଣ ବର୍ଷା ହେବା ଫଳରେ ଧୀରେ ଧୀରେ ବଢିବାରେ ଲାଗିଛି ମହାନଦୀରେ ଜଳସ୍ତର । ଜଳସ୍ତର ବଢିବା ଯୋଗୁଁ ତିଗିରିଆ ସୋମପଡାରୁ ଖଣ୍ଡହତା ଗାଁକୁ ଯୋଗାଯୋଗ କରୁଥିବା ବଡବନ୍ଧିଆଣି ରାସ୍ତା ଆଉ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ପ୍ରଭାବରେ ରାସୁତା ଦେଇ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ବାଙ୍କିର ହୁଳୁହୁଳା ପୋଲ ଦେଇ ମହାନଦୀର ବନ୍ୟାଜଳ ପଶିବାରୁ ତିଗିରିଆ ଓ ଉତ୍ତରବାଙ୍କୀ ଅଞ୍ଚଳର ହଜାର ହଜାର ଏକର ଚାଷ ଜମି ବୁଡି ରହିଛି ।
ସେହିପରି ଗତକାଲି ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ବେଢ଼ାକୁ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଛୁଇଁଛି ବନ୍ୟା ଜଳ । ଯଦି ମନ୍ଦିରର ଗମ୍ଭାରୀରେ ବନ୍ୟାଜଳ ପ୍ରବେଶ କରେ ତେବେ ମା’ଙ୍କ ମନ୍ଦିର ପାଖରେ ଥିବା ରୋଷ ଘରକୁ ମା’ ଙ୍କୁ ସ୍ଥାନାନ୍ତର କରାଯିବ । ସେଥିପାଇଁ ସେବାୟତ ସଜାଗ ଥିବାବେଳେ ବଡମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି ।