ବନ୍ଦ ହେଲା ହୀରାକୁଦର ଦୁଇଟି ଗେଟ୍, କମୁଛି ମୁଣ୍ଡୁଳି ଜଳସ୍ତର

ସମ୍ବଲପୁର : ବନ୍ଦ ହେଲା ହୀରାକୁଦର ଦୁଇଟି ଗେଟ୍ । ବର୍ତ୍ତମାନ ୧୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ବାମ ପାର୍ଶ୍ବରେ ୧୨ ଓ ଦକ୍ଷିଣ ପାର୍ଶ୍ବରେ ୬ଟି ଗେଟ୍ ଖୋଲା ରହିଛି। ଏବେ ହୀରାକୁଦର ଜଳସ୍ତର ୬୧୧.୮୫ ଫୁଟ୍ ରହିଛି। ୧ ଲକ୍ଷ ୫୭ ହଜାର ୨୭୨ କ୍ୟୁସେକ ଜଳ ବର୍ତ୍ତମାନ ଡ୍ୟାମ୍ ମଧ୍ୟକୁ ପ୍ରବେଶ କରୁଥିବାବେଳେ ୩ ଲକ୍ଷ ୯ ହଜାର ୭୪୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିବା ସୂଚନା ମିଳିଛି।

ଅନ୍ୟପଟେ ହୀରାକୁଦର ଦୁଇଟି ଗେଟ୍‌ ବନ୍ଦ ହେବା ଦ୍ୱାରା କଟକ ମୁଣ୍ଡୁଳି ଠାରେ ମହାନଦୀର ଜଳସ୍ତର ହ୍ରାସ ପାଉଛି । ଗତକାଲି ରାତି ୧୨ଟା ସମୟରେ ସର୍ବାଧିକ ୪ ଲକ୍ଷ ୮୫ ହଜାର ୪୩୦ କ୍ୟୁସେକ ଜଳ ମୁଣ୍ଡଳୀରେ ପ୍ରବାହିତ ହୋଇଥିଲା। ତେବେ ଗତକାଲି ମଧ୍ୟରାତ୍ରିରୁ ଜଳସ୍ତର ସ୍ଥିର ରହିଥିବା ବେଳେ ଆଜି ସକାଳ ୬ଟା ସମୟରେ ୪ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ମୁଣ୍ଡଳୀରେ ଅପ୍ ଷ୍ଟ୍ରିମରେ ୮୭.୮୦ ଫୁଟ ଓ ଡାଉନ୍ ଷ୍ଟ୍ରିମରେ ୮୪.୯୦ ଫୁଟ ଜଳସ୍ତର ରହିଛି ତେଣୁ ମୁଣ୍ଡଳୀରେ ଏବେ ଜଳସ୍ତର ବୃଦ୍ଧିର ସମ୍ଭାବନା କମ୍‌ ରହିଛି। ଫଳରେ ମଧ୍ୟମ ଧରଣର ବନ୍ୟା ଆଶଙ୍କାର ସମ୍ଭାବନା ନାହିଁ।

ସୂଚନା ଅନୁସାରେ ଜୁଲାଇ ୨୮ରେ ଉପରମୁଣ୍ଡରେ ପ୍ରବଳ ବର୍ଷା ହେତୁ ହୀରାକୁଦର ୨୦ଟି ଗେଟ୍ ଖୋଲା ଯାଇଥିଲା । ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ତଳିଆ ଅଞ୍ଚଳରେ ଲୋକମାନଙ୍କୁ ସତର୍କ କରାଯାଇଥିଲା । ସ୍ୱତନ୍ତ୍ର ରିଲିଫ କମିଶନର ୯ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ କରାଇଥିଲେ । ଅପରପକ୍ଷେ, ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ଅତିରିକ୍ତ ସ୍ଵତନ୍ତ୍ର ରିଲିଫ୍‌ କମିଶନର ।

 

You might also like