କଟକ : ବାଙ୍କୀ ଥାନା ଅନ୍ତର୍ଗତ ରତାଗଡ଼ରେ ଜଣେ ୧୭ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଇ ଜଣ ଅଭିଯୁକ୍ତ କଟକ ସ୍ୱତନ୍ତ୍ର ପୋକସୋ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ପୋକସୋ କୋର୍ଟ ।
ଆଜୀବନ କାରାଦଣ୍ଡ ସହିତ ୩୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଏହି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଦୁଇ ଦୋଷୀ ସନ୍ତୋଷ ସାହୁ ଓ ବିଭୂତି ରାଉତ । ଉଭୟେ ଏକ ବସର ଡ୍ରାଇଭର ଓ କଣ୍ଡକ୍ଟର । ୨୦୧୬ ଅଗଷ୍ଟ ୨ ରେ ୧୭ ବର୍ଷୀୟା ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ଓ ହତ୍ୟା କରିଥିଲେ ।
ନାବାଳିକାର ମୃତଦେହ ବାଙ୍କୀ ରତାଗଡ଼ ନିକଟସ୍ଥ ନଦୀରୁ ଉଦ୍ଧାର କରିଥିଲା ପୋଲିସ । ଏହି ଘଟଣାର ମୃତକ ପିଡିତାଙ୍କ ପରିବାରକୁ ଆଇନ ଅନୁଯାୟୀ କ୍ଷତିପୂରଣ ଦେବାକୁ ଜିଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ସରକାରଙ୍କ ପକ୍ଷରୁ ଏହି ମାମଲାର ଶୁଣାଣି ସମୟରେ ୪୬ ଜଣ ସାକ୍ଷୀ ଓ ୫୯ ଟି ଡ଼କୁମେଣ୍ଟ କୋର୍ଟରେ ଉପସ୍ଥାପିତ କରାଯାଇଥିଲା । ସରକାରଙ୍କ ପକ୍ଷରୁ ଏହି ମାମଲା ସ୍ୱତନ୍ତ୍ର ଓକିଲ ଅକ୍ଷୟ ନାୟକ ପରିଚାଳନା କରୁଥିଲେ ।