କାରକୁ ଧକ୍କା ଦେଲା ଟ୍ରକ, ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ଦୁଇ ମୃତ

ଯାଜପୁର ରୋଡ : ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ୱାଗନର କାରକୁ ସାମ୍ନା ପଟୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ ଜଣେ ଡିଏସପିଙ୍କ ସମେତ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ହେଲେ ଯାଜପୁର ପୋଲିସ ହେଡ଼ କ୍ୱାଟରରେ କାର୍ଯ୍ୟରତ ଥିବା ପୋଲିସ ଡିଏସପି ବଳରାମ ନାୟକ । ମୃତ ଡିଏସପି ଜଣକ କେନ୍ଦୁଝର ଜିଲ୍ଲା ଘଟଗାଁ ଗୋପପୁର ଅଂଚଳର ବୋଲି ଜଣାପଡିଛି । ଅନ୍ୟ ଜଣେ ମୃତକ ହେଲେ ଡିଏସପି ଶ୍ରୀ ନାୟକଙ୍କ ଭିଣୋଇ ପୂର୍ଣ୍ଣଚନ୍ଦ୍ର ନାୟକ।

ସୂଚନା ଯୋଗ୍ୟ ଯେ ଡିଏସପି ଶ୍ରୀ ନାୟକ ମାତ୍ର ବର୍ଷେ ତଳେ ବାଲେଶ୍ବରରୁ ଯାଜପୁରକୁ ବଦଳି ହୋଇ ଆସିଥିଲେ । ମାତ୍ର ନିକଟରେ ଯାଜପୁରରୁ ତାଙ୍କର ଜଗତସିଂହପୁର ଜିଲ୍ଲାକୁ ଏସଡ଼ିପିଓ ବଦଳି ହୋଇଥିବା ସୂଚନା ମିଳିଛି । ଦୁଃଖର ବିଷୟ ଏହି କି ଆଜି ସନ୍ଧ୍ୟାରେ ତାଙ୍କୁ ଯାଜପୁର ଜିଲ୍ଲା ପାଣିକୋଇଲି ସ୍ଥିତ ପୋଲିସ ମୁଖ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଦେବାର କାର୍ଯ୍ୟକ୍ରମ ରହିଥିଲା ।

ସେ ତାଙ୍କ ବନ୍ଧୁଙ୍କ ସହିତ ପାଣିକୋଇଲି ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସେପଟେ ପୋଲିସ ଘଟଣାସ୍ଥଳରୁ ଦୁଇଜଣଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲା । ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ସେପଟେ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଘଟଣାକୁ ନେଇ ପୋଲିସ ମୁଖ୍ୟାଳୟ ସମେତ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।