ପୁରୀ (କେନ୍ୟୁଜ): ପୁରୀରେ ଭଉଁରୀ ଯାତ୍ରା ବେଳେ ବାଣ ବିସ୍ଫୋରଣ ଘଟଣାରେ ୨ ମୃତ । ୩୫ରୁ ଅଧିକ ଆହତ । ଚନ୍ଦନ ଯାତ୍ରାର ଶେଷଦିନ ଭଉଁରୀ ଯାତ୍ରା ଅବସରରେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଗତକାଲି ରାତିରେ ଘଟିଥିବା ଏହି ଅଘଟଣରେ ୨୦ରୁ ଅଧିକ ଗୁରୁତର ହୋଇଛନ୍ତି। କଟକ ଏସସିବି ଓ ଭୁବନେଶ୍ବରର ଏମସ ସମେତ ବିଭିନ୍ନ ହସପିଟାଲରେ ଆହତଙ୍କ ଚିକିତ୍ସା କରାଯାଉଛି । ଏହି ଭୟଙ୍କର ବାଣ ବିସ୍ପୋରଣ ପରେ ଘଟଣାସ୍ଥଳରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଆହତମାନେ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ପୁରୀ ଡାକ୍ତରଖାନରେ ପହଞ୍ଚି ଥିଲେ l ତେବେ ଅଧିକାଂଶ ଗୁରୁତର ଥିବାରୁ ସେମାନଂକୁ ତୁରନ୍ତ ଆମ୍ବୁଲାନ୍ସ ସାହାଯ୍ୟରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । SCBରେ ୮ ଜଣ ଚିକିତ୍ସିତ ହେଉଛନ୍ତି । ବିଳମ୍ବିତ ରାତିରେ ମୁଖ୍ୟ ସଚିବ ପ୍ରଦୀପ ଜେନା ଓ କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଏସସିବି ମେଡିକାଲକୁ ଯାଇ ଆହତଙ୍କ ଚିକିତ୍ସା ବାବଦରେ ପଚାରି ବୁଝିଛନ୍ତି ।
ସେହିପରି ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଭୁବନେଶ୍ବରରେ ଘରୋଇ ହସପିଟାଲରେ ବିଳମ୍ବିତ ରାତି ଯାଏ ଉପସ୍ଥିତି ରହି ଆହତଙ୍କ ଚିକିତ୍ସାର ତଦାରଖ କରିଛନ୍ତି । ଏହି ଭୟଙ୍କର ବାଣ ବିସ୍ପୋରଣ ଘଟଣାରେ ପୁରୀ ଏସପିଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଛି l ଆତସବାଜୀ ପ୍ରଦର୍ଶନ ନେଇ ଜିଲ୍ଲା ପ୍ରଶାସନ କିମ୍ବା ପୋଲିସ କୌଣସି ଅନୁମତି ଦେଇ ନଥିବା ଜିଲ୍ଲାପାଳ ଓ ଏସପି କହିଛନ୍ତି l ପୁରୀ ନରେନ୍ଦ୍ର ପୋଖରୀରେ ବାଣ ଦୁର୍ଘଟଣା ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆହତମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବହନ କରାଯିବ ବୋଲି ଘୋଷଣା କରାଯାଇଛି ।