ଆସୁଛି ୨ଟି ଲଘୁଚାପ, ୩ରୁ ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଆସୁଛି ୨ଟି ଲଘୁଚାପ । ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଜୁଲାଇ ୭ରେ ଗୋଟିଏ ଲଘୁଚାପ ସୃଷ୍ଟି ହେବାକୁ ଥିବାବେଳେ ୧୫ କିମ୍ୱା ୧୬ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରିଛି । ୭ ତାରିଖରେ ସୃଷ୍ଟି ହେବା ଲଘୁଚାପ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ । ପ୍ରଭାବରେ ୩ରୁ ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଁ ଭାଁ ବର୍ଷା ଆଶଙ୍କା ରହିଥିବା ବେଳେ ୬ ତାରିଖରୁ ରାଜ୍ୟର ବର୍ଷାର ପ୍ରକୋପ ବୃଦ୍ଧି ପାଇବ ।
ତେବେ ରାଜ୍ୟରେ ଏଯାଏ ୨୪ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଜୁନ ୧ରୁ ଏହି ସମୟ ମଧ୍ୟରେ ବର୍ଷାର ସ୍ବାଭାବିକ ପରିମାଣ ୨୧୬. ୫ ମିମି ରହିଥିବା ବେଳେ ୧୬୪ ମିମି ବର୍ଷା ରେକର୍ଡ ହୋଇଛି। ଗୋଟିଏ ଜିଲ୍ଲା ମାଲକାନଗିରିରେ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୧୩ଜିଲ୍ଲାରେ ସ୍ବାଭାବିକ, ୧୫ ଜିଲ୍ଲାରେ ନିଅଣ୍ଟିଆ ଓ ଗୋଟିଏ ଜିଲ୍ଲା ମୟୂରଭଞ୍ଜରେ ସର୍ବାଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଆଗକୁ ବର୍ଷା ବଢିଲେ ନିଅଣ୍ଟିଆ ବର୍ଷା ପରିମାଣ ଭରଣା ହେବ ବୋଲି ଆଶା ରହିଛି।