ହଠାତ ଜଳ ପ୍ରପାତରେ ଆସିଲା ପ୍ରଖର ସୁଅ, ବୁଡି ଯାଇ ୨ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ

ବୁଲାବୁଲି ପ୍ଲାନ କରି ଘରୁ ବାହାରିଥିଲେ ୧୩ ଜଣ ଡାକ୍ତରୀ ଛାତ୍ରଛାତ୍ରୀ । ପାଠ ପଢାରୁ ବିରତି ନେଇ ଝରଣା କୁଳକୁ ଯାଇଥିଲେ । ଝରଣା କୂଳରେ ବସି ଥଟା ମଜା କରୁଥିଲେ । କିନ୍ତୁ ହଠାତ ଝରଣାରେ ପ୍ରଖର ସ୍ରୋତ ଆସିଲା । ସୁଅ ଏତେ ଅଧିକ ଥିଲା ଯେ ଯିଏ ଯୁଆଡେ ପାରିଲେ ଦୌଡ଼ିବାକୁ ଲାଗିଲେ । କିନ୍ତୁ ୫ ଜଣ ଛାତ୍ରଛାତ୍ରୀ ପାଣିର ସୁଅକୁ ସାମ୍ନା କରି ପାରିଲେନି । ଆଉ ପାଣି ସୁଅରେ ଭାସି କେଉଁଆଡେ ନିଖୋଜ ହୋଇଗଲେ । ଅନ୍ୟ ସାଙ୍ଗମାନେ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ବି ପାଣିର ସ୍ରୋତ ଏତେ ଅଧିକ ଥିଲା ଯେ ସାଙ୍ଗଙ୍କୁ ଉଦ୍ଧାର କରି ପାରିଲେନି । ବହୁ କଷ୍ଟରେ ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଅନ୍ୟ ୩ ଜଣ ସାଙ୍ଗଙ୍କୁ ଉଦ୍ଧାର କରି ପାରିଲେନି । ଏବେ ଦୁଇ ଜଣ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟ ଜଣେ ଛାତ୍ରୀଙ୍କୁ ଖୋଜାଖୋଜି କରୁଛି ଉଦ୍ଧାରକାରି ଦଳ ।

ଏଭଳି ହୃଦୟ ବିଦାରକ ଘଟଣା ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରରେ ଜଳ ପ୍ରପାତରେ ଘଟି ଯାଇଛି । ଏହି ଜଳ ପ୍ରପାତରେ ବୁଡି ୨ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି ଓ ଜଣେ ଛାତ୍ରୀ ନିଖୋଜ ଅଛନ୍ତି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାର ମୋଟୁ ଠାରୁ ପ୍ରାୟ ୪୦ କିମି ଦୂରରେ ଥିବା ଆନ୍ଧ୍ରପ୍ରଦେଶର ଆଲୁରି ଜିଲ୍ଲାର ଜଳ ତରଙ୍ଗିନୀ ନାମକ ଝରଣାକୁ ୧୩ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ବୁଲିବାକୁ ଯାଇଥିଲେ । ତେବେ ଜଳ ପ୍ରପାତ ନିକଟରେ ସମସ୍ତେ ବସିଥିବା ବେଳେ ହଠାତ ପ୍ରଖର ସ୍ରୋତର ଜଳ ଆସିବାରୁ ୪ ଜଣ ଛାତ୍ରୀ ଏବଂ ଜଣେ ଛାତ୍ର ପାଣିରେ ଭାସି ଯାଇଥିଲେ । ସେଠାରୁ ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଉଦ୍ଧାର କରଯାଇଥିଲା ଏବଂ ଅନ୍ୟ ୩ ଜଣ ଛାତ୍ରୀ ପାଣି ମଧ୍ୟରେ ଭାସି ଯାଇଥିଲେ । ଉଦ୍ଧାର ହୋଇଥିବା ୨ ଜଣଙ୍କୁ ରାଜମହେନ୍ଦ୍ରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଜଣକ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଅନ୍ୟପଟେ ପାଣିରେ ଭାସି ଯାଇଥିବା ୩ ଜଣଙ୍କ ମଧ୍ୟରୁ ଜଣେ ନିଖୋଜ ଥିବା ବେଳେ ଅନ୍ୟ ୨ଜଣ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ରାତି ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ଆଜି ସକାଳୁ ନିଖୋଜ ଛାତ୍ରୀଙ୍କ ସନ୍ଧାନ ଜାରି ରହିଥିବା ଜଣାପଡିଛି । ଏହି ଛାତ୍ରଛାତ୍ରୀମାନେ ଏଲୁର ମେଡିକାଲ କଲେଜର ବୋଲି ଜଣାପଡିଛି ।

ସାଙ୍ଗ ହୋଇ ବୁଲିବାକୁ ଯାଇଥିଲେ । କିନ୍ତୁ କିଏ ଜାଣିଥିଲା ଏମିତି ଅଘଟଣ ଘଟିଯିବ ବୋଲି । ବର୍ଷା ଦିନେ ଝରଣା ହେଉ କି ଜଳ ପ୍ରପାତ ହେଉ ଏସବୁଥିରେ ପାଣିର ସୁଅ ହଠାତ ବଢି ଯାଏ । ଜଳ ପ୍ରପାତର ସୁଅ ହଠାତ ଆସେ ଆଉ ଅନେକ ଧନ ଜୀବନ ନଷ୍ଟ ହେବା ଖବର ଉପରେ ମଧ୍ୟ ନଜିର ରହିଛି । ଯଦି ଆପଣ ଏମିତି କୌଣସି ପର୍ଯ୍ୟଟନ ସ୍ଥାନକୁ ବୁଲିବାକୁ ଯାଉଛନ୍ତି ତେବେ ସାବଧାନ ରୁହନ୍ତୁ । ପାଣି ଠାରୁ ଦୁରେଇ ରହି ସ୍ଥାନକୁ ଉପଭୋଗ କରନ୍ତୁ । ନଚେତ ଏମିତି ଦୁର୍ଘଟଣା ହେବାର ବି ସମ୍ଭାବନା ରହୁଛି । ଆପଣ ସତର୍କ ରହିଲେ ଆପଣଙ୍କ ଜୀବନ ସୁରକ୍ଷିତ ରହିବ ।

You might also like