ମାଓଦମନ ରଣନୀତିର ସମୀକ୍ଷା ବେଳେ ପୋଲିସ ଡିଜି ଅଭୟଙ୍କୁ ସଫଳତା, ଆତ୍ମସମର୍ପଣ କଲେ ତିନି ଓଡ଼ିଶା କ୍ୟାଡରର ମାଓବାଦୀ

ମାଲକାନଗିରି(କେନ୍ୟୁଜ୍): ମାଓଦମନ ରଣନୀତିର ସମୀକ୍ଷା କଲେ ପୋଲିସ ଡିଜି ଅଭୟ। ମାଲକାନଗିରି, କୋରାପୁଟ ଓ କନ୍ଧମାଳ ଗସ୍ତ କରି ମାଓ ଦମନ ନେଇ ସମୀକ୍ଷା କରିଛନ୍ତି। ପ୍ରଥମେ ମାଲକାନଗିରିର ତେମୁରପାଲିର ବିଏସଏଫ କ୍ୟାମ୍ପରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ପରେ ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟରେ ବିଏସଏଫ ଓ ପୋଲିସ ମିଳିତ ବୈଠକରେ ଯୋଗ ଦେଇଥିଲେ। ଡିଜିପିଙ୍କ ଉପସ୍ଥିତିରେ ଜଣେ ମହିଳା ମାଓବାଦୀଙ୍କ ସମେତ ଦୁଇ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଥିଲେ।

ଆତ୍ମସମର୍ପଣ କରିଥିବା ଭଦ୍ରାଚଳମ ଏରିଆ କମିଟି ମାଓ ସଙ୍ଗଠନର ଏସିଏମ ସବିତା ନାଁରେ ୪ଲକ୍ଷ ଓ ମହୁପଦର ଏରିଆ କମିଟିର ସଦସ୍ୟ ରାଇଧର ନାଁରେ ଲକ୍ଷେ ଟଙ୍କା ପୁରସ୍କାର ରହିଥିଲା।  ପରେ ଡିଜିପି କୋରାପୁଟ ଗସ୍ତ କରିଥିଲେ। ଓଏସଏପି ଥାର୍ଡ ବାଟାଲିୟନ ପରିସରରେ ଏସପି ଓ ବିଏସଏଫ ଅଧିକାରୀଙ୍କ ସହ ମାଓ ଦମନ ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। କୋରାପୁଟରେ ଅଭୟଙ୍କ ଉପସ୍ଥିତିରେ ମାଓ ନେତ୍ରୀ ପାଲୁସୁ ହୁଇକା ଆତ୍ମସମର୍ପଣ କରିଥିଲା। ତା ନାଁରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିଲା।

maoist2

ଆଜି ଆତ୍ମସମର୍ପଣ କରିଥିବା ତିନି ମାଓବାଦୀ ଓଡ଼ିଶା କ୍ୟାଡରର। ଏମାନଙ୍କୁ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁସାରେ ଅର୍ଥ ସହାୟତା ସହ ସବୁ ପ୍ରକାର ସହଯୋଗ କରାଯିବ ବୋଲି କହିଛନ୍ତି ପୋଲିସ ଡିଜି। ଅନ୍ୟ ମାଓବାଦୀଙ୍କୁ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ଵାନ ଦେଇଛନ୍ତି।

ମାଲକାନଗିରି ଓ କୋରାପୁଟ ପରେ କନ୍ଧମାଳ ଗସ୍ତ କରିଥିଲେ ପୋଲିସ ଡିଜି ଅଭୟ। ଫୁଲବାଣୀ ରିଜର୍ଭ ପୋଲିସ ପଡ଼ିଆରେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ଡିଜିପି। ଜିଲ୍ଲାରେ ମାଓଦମନ, ସୁରକ୍ଷା ବ୍ୟବସ୍ଥା ଓ ଗଞ୍ଜେଇ ଚୋରାଚାଲାଣ ରୋକିବା ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଜିଲ୍ଲାରେ ମାଓବାଦୀଙ୍କ ବିରୋଧରେ କମ୍ବିଂ ଅପରେସନ ଜୋରଦାର କରିବାକୁ ସେ ପୋଲିସ ଓ ସୁରକ୍ଷା ବାହିନୀକୁ ପରାମର୍ଶ ଦେଇଛନ୍ତି। କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ଚାଲାଣ ରୋକିବାରେ ପୋଲିସର ସଫଳତା ନେଇ ଜିଲ୍ଲା ଏସପିଙ୍କୁ ପ୍ରଶଂସା କରିଥିଲେ। ଏହା ସହ ମାଓବାଦୀଙ୍କୁ ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ପୋଲିସ ଡିଜି ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.