ନୂଆପଡା : ମଣିଷକୁ ଖାଉଥିଲା ବାଘ l ହେଲେ ଏବେ ବାଘକୁ ଖାଇ ଯାଇଛନ୍ତି ମଣିଷ l ଏମିତି ଘଟଣା ଘଟିଛି ନୂଆପଡା ଜିଲ୍ଲାରେ l ନୂଆପଡା ଜିଲ୍ଲା କୋମନା ବନବିଭାଗ ରେଞ୍ଜ ଅନ୍ତର୍ଗତ ଦେଓଧରା ଗାଁରେ ବନବିଭାଗର ସ୍ୱତନ୍ତ୍ର ଟିମ ଚଢ଼ାଉ କରିଛି l ଏହି ଚଢ଼ାଉରେ ଗୋଟିଏ କଲରାପତରିଆ ବାଘର କଟାମୁଣ୍ଡ ସହ ବାଘ ଛାଲ ଓ ମାଂସ ଜବତ ହୋଇଛି l
ସୁନାବେଡା ଅଭୟାରଣ୍ୟର ତଳି ଅଂଚଳରେ ବିଦ୍ୟୁତ ତାର ପକାଇ ବାରହା ମାରିବା ପାଇଁ ଖଞ୍ଜା ଯାଇଥିଲା ବିଦ୍ୟୁତ ତାର ଫାଶ l ଏହି ଫାଶରେ ପଡି କଲରା ପତରିଆ ବାଘର ମୃତ୍ୟୁ ଘଟିଛି l ବାଘକୁ ମାରିବା ପରେ ୪ ଶିକାରୀ ବାଘର କଟାମୁଣ୍ଡ,ମାଂସ, ଚମଡା ଓ ଛାଲକୁ ଭାଗବଣ୍ଟା କରୁଥିବା ବେଳେ ମାଡ଼ିବସିଲା କୋମନା ବନବିଭାଗ l
ଘଟଣାସ୍ଥଳରୁ କଲରା ପତରିଆ ବାଘର କଟାମୁଣ୍ଡ ସମେତ ମାଂସ, ଚମଡ଼ା ଓ ଛାଲକୁ ବନବିଭାଗ ଜବତ କରିଛି l ଏଥିସହ ଏହି ଘଟଣାରେ ସମ୍ପୃକ୍ତଥିବା ୨ ଜଣ ଶିକାରୀକୁ ବନବିଭାଗ କାବୁ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ୨ଜଣ ଶିକାରୀ ଏବେବି ଫେରାର ଅଛନ୍ତି l ସେମାନଙ୍କୁ ଗିରଫ କରିବା ପାଇଁ ବନବିଭାଗ ପକ୍ଷରୁ ଜୋରଦାର ତନାଘନା ଜାରି ରହିଛି l