କନ୍ଧମାଳ : କନ୍ଧମାଳରେ ୫ ପୋଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ଗୋଚ୍ଛାପଡା ଥାନା ଅଞ୍ଚଳରେ ଶନିବାର ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ଏସପିଙ୍କ ନିର୍ଦ୍ଦେଶ କ୍ରମେ S. I ଅଜିତ କୁମାର ସ୍ଵାଇଁ , ହାବିଲଦାର ରାମଚନ୍ଦ୍ର ନାୟକଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ହୋମଗାର୍ଡ ଅଭିରାମ ମହାନନ୍ଦ, ଜଗବନ୍ଧୁ କହଁର ଓ ରତ୍ନାକର ନାୟକଙ୍କୁ ହେଡକ୍ବାର୍ଟର୍ସକୁ ପଠାଯାଇଛି । ଏମାନଙ୍କ ବିରୋଧରେ ମୃତ ଜ୍ୟେଷ୍ଠ ଗଣ୍ଡକିଙ୍କ ସ୍ତ୍ରୀ ଅଭିଯୋଗ ଆଣିଥିବାରୁ ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି ସମ୍ଭାବନା ଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିବା ଅତିରିକ୍ତ ଏସ୍ ପି ବଳଭଦ୍ର ଦୀପ ପ୍ରକାଶ କରିଛନ୍ତି ।
ଏପଟେ ଏସପି ଶୁଭେନ୍ଦୁ ପାତ୍ର ଗୋଚ୍ଛାପଡା ଯାଇ ଘଟଣାର ଅଧିକ ତଦନ୍ତ କରିଛନ୍ତି । ଘଟଣା ସମୟରେ ମୃତ ଯୁବକଙ୍କ ସହିତ ଥିବା ତାଙ୍କ ସାଙ୍ଗକୁ ଡକାଇ ପଚରାଉଚରା କରାଯାଇଛି । ଏଭିତରେ ବ୍ୟବଚ୍ଛେଦ ରିପୋର୍ଟ ପୋଲିସକୁ ମିଳିଥିବା ବେଳେ ଭିସେରା ରିପୋର୍ଟ ଆସି ନାହିଁ । ତଦନ୍ତ ପ୍ରକ୍ରିୟା ଜାରି ରହିଥିବା କହିଛନ୍ତି ଅତିରିକ୍ତ ଏସପି । ଘଟଣାରେ ଯଦି କାହାର ସମ୍ପୃକ୍ତି ପ୍ରମାଣିତ ହୁଏ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲିି ସେ କହିଛନ୍ତି । ବୌଦ୍ଧ ଜିଲା କଂଟାମାଳ ଥାନା ବେହେରାପଡାର ଜ୍ୟେଷ୍ଠ ବଣ୍ଡକିଙ୍କ ମୃତଦେହ ଶନିବାର ଲୁଇସିଂ ପଞ୍ଚାୟତ ଡାଙ୍ଗାଣାମୁ ନିକଟରେ ରାସ୍ତା କଡରୁ ମିଳିଥିଲା । ମୃତକଙ୍କ ସ୍ତ୍ରୀ ସୁମନ୍ତି ସ୍ବାମୀଙ୍କୁ ପୋଲିସ ହତ୍ୟା କରିଥିବା ନେଇ ଗୋଚ୍ଛାପଡା ଥାନାରେ ଏତଲା ଦେଇଛନ୍ତି ।