୨ ବରିଷ୍ଠ ବିଜେପି ନେତାଙ୍କୁ ଧକ୍କା ଦେଲା ହାଇୱା, ଘଟଣାସ୍ଥଳରେ ମୃତ୍ୟୁ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା କଣ୍ଟାପାଲିରେ ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ୨ ମୃତ ୨ ଗୁରୁତର ହୋଇଛନ୍ତି ।  ମୃତକ ମାନେ ହେଲେ ବିଜେପି ଚିପଲିମା ମଣ୍ଡଳ ସଭାପତି ଦେବେନ୍ଦ୍ର ନାଏକ ଓ ମୁରଲୀ ଛୁରିଆ ।  ଅନ୍ୟ ଦୁଇ ଗୁରୁତରଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଗତକାଲି ଦେବେନ୍ଦ୍ର ଓ ମୁରଲୀ ଆଉ ଦୁଇ ଜଣଙ୍କ ସହ ଭୁବନେଶ୍ୱରରୁ ଟ୍ରେନ ଯୋଗେ ସମ୍ବଲପୁର ଫେରିଥିଲେ ।  ଏହାପରେ ରେଳ ଷ୍ଟେସନରୁ କାର ଯୋଗେ ଚିପଲିମା ସ୍ଥିତ ଘରକୁ ଫେରୁଥିଲେ । ତେବେ ଆ କଣ୍ଟାପାଲି ଅଞ୍ଚଳରେ ତାଙ୍କ କାରକୁ ପଛ ପଟୁ ଏକ ହାଇୱା ଧକ୍କା ଦେଇଥିଲା । ଯାହାଫଳରେ କାରଟି ଜାତୀୟ ରାଜପଥରୁ ତଳକୁ ଖସି ପଡିଥିଲା ।  ଘଟଣାସ୍ଥଳ ରେ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଥିଲା ।  ଖବର ପାଇ ଗୋଶାଳା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଗୁରୁତରଙ୍କୁ ଭିମସାରରେ ଭର୍ତ୍ତି କରିଥିଲା । ଏଣେ ଦୁର୍ଘଟଣା ଘଟାଇଥିବା ହାଇୱା ଚାଳକକୁ ପୋଲିସ ଗିରଫ କରିଥିଲା । ତେଣେ ଏହି ଅଭାବନୀୟ ଘଟଣାରେ ମର୍ମାହତ ହୋଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକ ଓ ଗୁରୁତର ପରିବାରବର୍ଗଙ୍କୁ ଭେଟିବେ ବୋଲି ଜଣାଯାଇଛି ।