ହୋଲିରେ ଦୟା ନଦୀ ଗାଧୁଆ ତୁଠରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଦୁଇ ଗୁରୁତର
ବହୁ ବର୍ଷ ଧରି ଚିଲିକାରେ ମାଛ ବାହାଣ କରିବାକୁ ନେଇ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସରସ୍ୱତୀ ନଗର ଓ ପୁରୀ ଜିଲ୍ଲା କଣାସ ଥାନା ଗଙ୍ଗାଧରପୁର ଗ୍ରାମର ମସ୍ୟଜୀବୀ ମାନଙ୍କ ମଧ୍ୟ୍ୟରେ ବାଦ ବିବାଦ ଲାଗି ରହିଛି ।
ଟାଙ୍ଗି(କେନ୍ୟୁଜ): ରଙ୍ଗର ପର୍ବ ହୋଲିରେ ସାମାନ୍ୟ ଘଟଣାକୁ ନେଇ ଉଭୟ ଗ୍ରାମବାସୀ ମାନଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ଗୋଷ୍ଠୀ ସଂଘର୍ଷରେ ୨ ଗୁରୁତର ଓ ୫ ଆହତ । ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସରସ୍ୱତୀ ନଗର ଗ୍ରାମ ଓ ପୁରୀ ଜିଲ୍ଲା ଗଡ଼ିଶାଗଦା ଥାନା ଅଧିନ ଗଙ୍ଗାଧରପୁର ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ବହୁ ବର୍ଷ ଧରି ଚିଲିକାରେ ମାଛ ବାହାଣ କରିବାକୁ ନେଇ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସରସ୍ୱତୀ ନଗର ଓ ପୁରୀ ଜିଲ୍ଲା କଣାସ ଥାନା ଗଙ୍ଗାଧରପୁର ଗ୍ରାମର ମସ୍ୟଜୀବୀ ମାନଙ୍କ ମଧ୍ୟ୍ୟରେ ବାଦ ବିବାଦ ଲାଗି ରହିଛି ।
ଏହି ଘଟଣା ବିଭିନ୍ନ ସମୟରେ ଉଗ୍ରରୁପ ଧାରଣ କରିଥାଏ । ତେବେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ପୋଲିସ୍ ଓ ପ୍ରଶାସନର ହସ୍ତକ୍ଷେପ ପରେ ଏହାର ସମାଧାନ କରାଯାଇଥିଲା । ତେବେ ଆଜି ସରସ୍ୱତୀ ନଗରର ଯୁବକମାନେ ହୋଲି ଖେଳି ସାରି ଦୟା ନଦୀ ତୁଠକୁ ଗାଧୋଇବାକୁ ଯାଇଥିବା ବେଳେ କୌଣସି କାରଣକୁ ନେଇ ଦୁଇ ଗାଁର ଲୋକଙ୍କ ମଧ୍ୟ୍ୟରେ ବଚସା ହୋଇଥିଲା । ପରେ ଏହା ଉଗ୍ରରୁପ ଧାରଣ କରିଥିଲା । ଗଙ୍ଗାଧରପୁର ଗ୍ରାମର ଯୁବକଙ୍କ ଆକ୍ରମଣରେ ୨ ଗୁରୁତର ଓ ୫ ଜଣ ଆହତ ହୋଇଛନ୍ତି । ଗୁରୁତର ଦ୍ୱୟଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଖୋର୍ଦ୍ଧା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଗୁରୁତର ଦ୍ୱୟ ହେଲେ ପ୍ରଭାକର ବେହେରା (୪୦),ପ୍ରଭାତ ବେହେରା (୩୬) । ଏହା ସହ ଅନ୍ୟ ୫ ଜଣ ଆହତ ବ୍ୟକ୍ତି ଟାଙ୍ଗୀ ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । .ଆହତ ବ୍ୟକ୍ତି ମାନେ ହେଲେ ସରସ୍ୱତୀ ନଗରର ଲକ୍ଷ୍ମଣ ବେହେରା(୪୪) ଅନାମ ବେହେରା(୫୨),ଚନ୍ଦନ ବେହେରା(୩୭),ରୋହିତ ବେହେରା(୩୫) ଓ ବୈକୁଣ୍ଠ ବେହେରା(୫୦) ବୋଲି ଜଣା ପଡିଛି । କିନ୍ତୁ ଏପର୍ଯ୍ୟନ୍ତ ପୁରୀ ଜିଲ୍ଲା କଣାସ ଥାନା ଗଙ୍ଗାଧରପୁର ଗ୍ରାମର କେଉଁମାନେ ଆକ୍ରମଣ ଶିକାର ହେଉଥିବା ଜଣା ପଡିନି । ଏ ନେଇ ଉଭୟ ଗ୍ରାମ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । କିନ୍ତୁ ଖବର ପାଇ ଟାଙ୍ଗୀ ଥାନା ପୋଲିସ୍ ଓ କଣାସ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣା ଉପରେ ଗ୍ରାମଵାସୀଙ୍କ ସହ ଆଲୋଚନା କରୁଛନ୍ତି । ଏବେ ଉଭୟ ଗ୍ରାମରେ କୌଣସି ଅପ୍ରୀତିକର ପରିସ୍ଥିତି ନହେବା ପାଇଁ ପୋଲିସ ପୁରା ସଜାଗ ରହିଛି ।