ପ୍ଲାଣ୍ଟରେ କାମ କରି ତିନୋଟି ଆଙ୍ଗୁଠି କଟିଗଲା, କମ୍ପାନୀ ପକ୍ଷରୁ ସହାୟତା ପ୍ରଦାନ କରିବାକୁ ଦାବି

ସୁବର୍ଣ୍ଣପୁର: ଭବିଷ୍ୟତକୁ ନେଇ ଦେଖିଥିଲେ ଅନେକ ସ୍ଵପ୍ନ । ଆଗକୁ ପାଠ ପଢିବେ ଚାକିରୀଟିଏ କରି ବାପାଙ୍କ ବୋଝକୁ ଟିକିଏ ହାଲକା କରିବ । ସେଇଥିପାଇଁ ପାଠପଢା ସହ ଶ୍ରମିକ ଭାବରେ କାମକରି ବାପାଙ୍କ ବୋଝକୁ ବି ହାଲକା କରୁଥିଲେ । ହେଲେ ଏବେ ସବୁ ସ୍ଵପ୍ନ ସ୍ଵପ୍ନରେ ରହିଗଲା । ସବୁକଥା ଭାବିଲା ବେଳକୁ ମନରେ କୋହ ଅଉ ଆଖିରେ ଲୁହ ଜକେଇ ଆସୁଛି । ଆଉ ଏପଟେ ଦେଖନ୍ତୁ ହତଭାଗିନୀ ମାଁର ଆଖିରୁ ବହିଯାଉଛି ଧାର ଧାର ଲୁହ । କାରଣ ଦିନେ ଜନ୍ମ ଦେଇଥିବା ତାର ଡଉଲ ଡାଉଲ ପୁଅଟି ଏବେ ସବୁଦିନ ପାଇଁ ବିକଳାଙ୍ଗ ହୋଇଯାଇଛି । ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ପାଣିମୁରା ଗାଁର ଶ୍ରୀକାନ୍ତ ବାରିକଙ୍କ ବଡପୁଅ ସଂଜୟ ବାରିକ । ସଂଜୟ ଏବେ ତରଭା ମହାବିଦ୍ୟାଳୟର ଯୁକ୍ତଦୁଇ ଦ୍ଵତୀୟ ବର୍ଷର ଛାତ୍ର । ବାପା ଶ୍ରୀକାନ୍ତ ଜଣେ ଗରିବ ଏବଂ ସେ ତରଭାରେ ଛୋଟ ସେଲୁନଟିଏ କରି ପରିବାର ଚଳାନ୍ତି । ଏଣୁ ଅନେକ ସମୟରେ ବଡ ପୁଅ ସଂଜୟ ପାଠ ପଢିବା ସହ ବିଭିନ୍ନ ସ୍ଥାନରେ ଶ୍ରମିକ ଭାବରେ କାମକରି ପରିବାରକୁ ସହଯୋଗ କରେ ।
ସବୁଦିନ ଭଳି ସେଦିନ ମଧ୍ୟ ସେ ଗାଁ ମୁଣ୍ଡରେ ଥିବା ଇଥନେଲ ପ୍ଲାଣ୍ଟକୁ କାମ କରିବାକୁ ଯାଇଥିଲା । ହେଲେ ସେଠାରେ କାମ କଲାବେଳେ ତାଙ୍କର ମେସିନରେ ଗୋଟିଏ କି ଦୁଇଟି ନୁହେଁ ଡାହାଣ ହାତର ତିନୋଟି ଆଙ୍ଗୁଠି କଟିଗଲା । ପ୍ଲାଣ୍ଟ ପକ୍ଷରୁ ଘରକୁ ଖବର ଦିଆଯିବା ସହ ବଲାଙ୍ଗୀର ବଡ ମେଡିକାଲରେ ଛାଡି ଦିଆଗଲା । ବାସ୍ ସେତିକିରେ ସରିଗଲା କମ୍ପାନୀର ଦାଇତ୍ଵ । ସେତେବେଳେ କମ୍ପାନୀ ପକ୍ଷରୁ ସଂଜୟ ଚିକିସା ଖର୍ଚ୍ଛ ବହନ କରିବାର କଥା କୁହାଯାଇଥିଲେ ବି କମ୍ପାନୀ କିଛି ବୁଝିଲା ନାହିଁ ।ଏହାରି ଭିତରେ ସଂଜୟର ଚିକିତ୍ସା ବାବଦରେ ୫ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରିସାରିଲେଣି ପରିବାର ଲୋକ । ଅଧିକ ଚିକିତ୍ସାର ଆବଶ୍ୟକତା ରହିଥିଲେ ବି ଗରିବ ପରିବାର ପାଖରେ ପୁଅର ଚିକିତ୍ସା କରିବାକୁ ଆଉ ଅର୍ଥ ନାହିଁ । ଏଣୁ ସରକାର ଏବଂ କମ୍ପାନୀ ପକ୍ଷରୁ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି ।
ତରଭା ପାଣିମୁରାଠାରେ ଗତ ତିନିବର୍ଷ ତଳେ ଆରମ୍ଭ ହୋଇଥିଲା ଏହି ଇଥାନେଲ କମ୍ପାନୀ । କମ୍ପାନୀ ପ୍ରତିଷ୍ଠା ସମୟରେ ସ୍ଥାନୀୟ ଯୁବକ ମାନଙ୍କୁ ନିଯୁକ୍ତି ଦେବା ସହ ସ୍ଥାନୀୟ ଅଂଚଳର ଉନ୍ନତିକରଣ ପାଇଁ ପ୍ରତିଶୃତି ଦେଇଥିଲା କମ୍ପାନୀ । ହେଲେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ନଦେଇ ବାହାର ରାଜ୍ୟର ଯୁବକଙ୍କୁ କମ୍ପାନୀରେ ନିଯୁକ୍ତି ଦିଆଯାଉଥିବା ନେଇ ମଧ୍ୟ ଅଭିଯୋଗ ଆସିଛି । କାଁ ଭାଁ କିଛି ଶ୍ରମିକଙ୍କୁ ଏଠାରେ କାମ କରିବାର ସୁଯୋଗ ଦିଆଯାଉଥିବାବେଳେ ଶ୍ରମିକଙ୍କ ସୁରକ୍ଷାକୁ ଗୁରୁତ୍ଵ ଦିଆଯାଉନଥିବା ଅଭିଯୋଗ ଆଣିଛନ୍ତି ଶ୍ରମିକ । ବିଭିନ୍ନ ସମୟରେ ପ୍ଲାଣ୍ଟ କାର୍ଯ୍ୟରତ ଅନେକ ଶ୍ରମିକ ମୃତ୍ୟ ମୁଖରେ ପଡିଥିଲେ ବି କମ୍ପାନୀ ପକ୍ଷରୁ ତାକୁ ଗୋପନ ରଖି ଦିଆଯାଉଥିବା ଅଭିଯୋଗ ହୋଇଛି । ତେବେ ଗତ ରବିବାର ସନ୍ଧ୍ୟା ସମୟରେ ପ୍ଲାଣ୍ଟରେ କାମ କରୁଥିବା ସମୟରେ ମେସିନରେ ପଡି ଜଣେ ଶ୍ରମିକର ମୃତ୍ୟୁ ହେବାପରେ କମ୍ପାନୀର ଖାମଖିଆଲି ନିତି ପଦାକୁ ଆସିଥିଲା । ଘଟଣାକୁ ନେଇ କମ୍ପାନୀ ସମ୍ମୁଖରେ ଦିର୍ଘ ସମୟ ଧରି ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବେ ଏହି ଘଟଣାକୁ ନେଇ ଜିଲ୍ଲା ଶ୍ରମ ଅଧିକାରୀ ଏବଂ ଜିଲ୍ଲାପାଳ କମ୍ପାନୀର ସୁରକ୍ଷା ଉପରେ ତର୍ଜମା କରିବେ ବୋଲି କହିଛନ୍ତି ।