ସୁପାରୀ ଦେଇ ଶ୍ୱଶୁରଙ୍କୁ ହତ୍ୟା ମାମଲାର ପର୍ଦ୍ଦାଫାସ୍‌, ୨ ସୁପାରୀ କିଲର ସହ ଜ୍ୱାଇଁ ଗିରଫ

ମୟୁରଭଞ୍ଜ(କେନ୍ୟୁଜ୍‌) : ସୁପାରୀ ଦେଇ ଶ୍ୱଶୁରଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ରକାରୀ ସାଜିଲା ଜ୍ୱାଇଁ । ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ଆକ୍ରମଣରେ ସ୍ୱାମୀ ମୃତ ,ସ୍ତ୍ରୀ ଗୁରୁତର ଘଟଣାର ପର୍ଦ୍ଦାଫାସ କରିଛି ବହଳଦା ଥାନା ପୋଲିସ । ୨ ଜଣ ସୁପାରୀ କିଲର ସମେତ ଷଡଯନ୍ତ୍ରକାରୀ ଜ୍ୱାଇଁକୁ ମଧ୍ୟ ଗିରଫ କରିଛି ପୋଲିସ । ସେମାନଙ୍କ ପାଖରୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ,ଦେଶୀ ବନ୍ଧୁକ ,ଦୁଇ ଅଫୁଟା ଗୁଳି , କଟୁରୀ ଓ ଗୋଟିଏ ବାଇକ୍ ଜବତ କରାଯାଇଛି।

ଗତ ୨୬ ତାରିଖ ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଜଗନ୍ନାଥପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଥିଲା। ମାନସିଂ ସୋରେନ ଘରେ ଶୋଇଥିବା ବେଳେ ୩ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ଆକ୍ରମଣରେ ମାନସିଂ ସୋରେନଙ୍କର ମୃତ୍ୟୁ ଘଟିଥିବା ବେଳେ, ସ୍ତ୍ରୀ ସାଲହୋମଣି ସୋରେନ ଓ ପୁଅ ଆହତ ହୋଇଥିଲେ ।

ପ୍ରାଥମିକ ତଦନ୍ତରୁ ପୋଲିସ ଗୁଣିଗାରେଡି ସନ୍ଦେହରେ ହତ୍ୟା ହୋଇଥିବା ସୁରାକ ପାଇଥିଲା । ଏହାକୁ ନଜରରେ ରଖି ତନାଘନା ଚଳାଇଥିଲା। ଏହି ହତ୍ୟାକାଣ୍ଡ ପଛରେ ସମ୍ପର୍କୀୟ ଲୋକଙ୍କ ସଂପୃକ୍ତି ରହିଥିବା ସୂଚନା ମିଳିଥିଲା। ପୋଲିସ ସଂପୃକ୍ତ ଜ୍ୱାଇଁକୁ ଧରିବା ପରେ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ ହୋଇଥିଲା ।

୬ ମାସ ତଳେ ଜଗନ୍ନାଥପୁର ଗାଁର ଶ୍ୱଶୁର ସୁବନ ସୋରେନଙ୍କ ଅସୁସ୍ଥତା ଯୋଗୁ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ସୁବନଙ୍କ ସାନ ଭାଇ ଅର୍ଥାତ ମାନସିଂ ସୋରେନ ଗୁଣିଗାରେଡି କରି ଜୀବନରେ ମାରିଦେଇଥିବା ସନ୍ଦେହ କରି ତାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଯୋଜନା କରିଥିଲେ।

ଆଉ ଜାମଦା ଅଂଚଳର ଜ୍ୱାଇଁ ଜିତେନ ବେଶ୍ରା ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ସାଜିଥିଲା । ଝାଡଖଣ୍ଡ ମାଝାରୀ ଅଂଚଳର ଲାଲ ସିଂ ବୋଇପାଇ ଓ ଯାଜପୁର ଡୁବୁରୀ ଅଞ୍ଚଳର ପ୍ରେମଚାନ୍ଦ ବିରୁଆ ନାମକ ଦୁଇ ସୁପାରୀ କିଲରଙ୍କୁ ଡକାଇ ହତ୍ୟା କରିଥିଲେ। ନିଜେ ଦୁଇ ସୁପାରୀ କିଲରଙ୍କୁ ନେଇ ୨୬ ତାରିଖ ବିଳମ୍ବିତ ରାତିରେ ମୁଖାପିନ୍ଧି ସମ୍ପର୍କୀୟ ଶ୍ୱଶୁରଙ୍କୁ ଆକ୍ରମଣ କରିଥିଲେ । ପୋଲିସ ୩ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.