୨ ଟି ବାଘ ଛାଲ ଜବତ, ୫ ଶିକାରୀ ଗିରଫ

କନ୍ଧମାଳ : ଫୁଲବାଣୀ ବନ ଖଣ୍ଡକୁ ମିଳିଛି ଏକ ବଡ ସଫଳତା । ୫ ଜଣ ଶିକାରୀ ସହ ଜଣେ ବ୍ୟବସାୟୀକୁ ଗିରଫ କରି ତାଙ୍କ ଠାରୁ ୨ ଟି କଲରାପତରିଆ ବାଘ ଛାଲ, ୬ ଟି କୁଟୁରା ଚମଡା, ଗୋଧି ଚମଡା ୨ ଟି ଉଦ୍ଧାର କରିଛି ବନ ବିଭାଗ । ଫୁଲବାଣୀ ବନ ଖଣ୍ଡର ଟିକାବାଲି ରେଞ୍ଜ ଅନ୍ତର୍ଗତ ଦଳପଡା ପଂଚାୟତର ବଜରିଗୁଡା ଜଙ୍ଗଲରେ ଶିକାରୀମାନଙ୍କ ଚଳ ପ୍ରଚଳ ଥିବା ଖବର ପାଇ ଫୁଲବାଣୀ  DFO ଙ୍କ ନେତୃତ୍ଵରେ ଓ ଖଜୁରୀ ପଡା IIC ଙ୍କ ସହଯୋଗରେ ଗତ ୧୭  ତାରିଖ ଦିନ ଲାଇନପଡା ରାସ୍ତାରେ ଚମଡା ବ୍ୟାବସାୟୀ ଧନେଶ୍ଵର ନାୟକକୁ ବନ ବିଭାଗ ଗିରଫ କରିଥିଲା ।

ଗିରଫ ପରେ ତା’ ପାଖରୁ ଦୁଇଟି ବାଘ ଛାଲ ଜବତ କରିଥିଲା । ଏବଂ ଅଧିକ ପଚରା ଉଚରା ପରେ ବାଘକୁ ଶିକାର କରିଥିବା ଦୁଇଜଣ ଗୌରାଙ୍ଗ ମଲ୍ଲିକ ଓ ସନ୍ତୋଷ ମଲ୍ଲିକଙ୍କ ଠାରୁ ବାଘ ଛାଲ ସେ କିଣିଥିବା କହିଥିଲା । ଏଥିରେ ଶରତ ମଲ୍ଲିକ ,ସଦାନନ୍ଦ କହଁର ଓ ବିବଛ ମଲ୍ଲିକ ଅନ୍ୟ ୩ ଜଣ ସାମିଲ ଥିବା ଜଣାପଡିଥିଲା ।

ଶିକାରୀମାନଙ୍କ ଘର କନ୍ଧମାଳ ହୋଇଥିବା ବେଳେ ବ୍ୟାବସାୟୀର ଘର ନୟାଗଡ ଜିଲ୍ଲାର କୃଷ୍ଣ ପ୍ରସାଦ ବୋଲି ଜଣାପଡିଛି । ଶିକାରୀମାନଙ୍କ ଘର ସର୍ଚ କଲା ବେଳେ  ବିବଛ ମଲ୍ଲିକ ଘରୁ କୁଟୁରା ଛାଲ ୬ ଟି, ଗୋଧି ଚମଡା ୨ ଟି ଓ ଗୋଟିଏ କୁଟୁରା ମୁଣ୍ଡ ଜବତ କରିଥିଲା ବନ ବିଭାଗ । ଏଠି ସହିତ ଶିକାରୀମାନଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ, ୭ ଟି ଫାଶ , ଗୋଟିଏ ତୀର ଓ ଗୋଟିଏ ବାଟୁଳି ବନ ବିଭାଗ ଜବତ କରିଛି । ଶିକାରୀମାନଙ୍କୁ ୱାଇଲ୍ଡ ଲାଇଫ ଆକ୍ଟ ଅନୁସାରେ  ଗିରଫ କରି ଆଜି ଜି ଉଦୟଗିରୀ JMF C କୋର୍ଟକୁ ବନ ବିଭାଗ ଚାଲାଣ କରିଛି ।

You might also like