ପଞ୍ଚୁଦୋଳ ଦିନ ଘଟିଲା ଅଘଟଣ, ଗାଧୋଇବାକୁ ଯାଇ ଆଉ ଫେରିନାହାନ୍ତି ଦୁଇ ପୁଅ

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ପଞ୍ଚୁଦୋଳ ଦିନ ଘଟିଯାଇଛି ଅଘଟଣ । ହୋଲି ଖେଳିସାରି ଗାଧୋଇବାକୁ ଯାଇ ବ୍ରାହ୍ମଣୀ ନଦୀରେ ବୁଡିଗଲେ ଘାଗରା ଗାଁର ସୌଭାଗ୍ୟ ପରିଡା । ସାଙ୍ଗରେ ଗାଧୋଇ ଯାଇଥିବା କିଛି ବନ୍ଧୁ ସୌଭାଗ୍ୟଙ୍କୁ ରକ୍ଷା କରି ପାରିଲେନି । କିଛି ସମୟ ପରେ ନଦୀ ଭିତରୁ ସୌଭାଗ୍ୟଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ସୌଭାଗ୍ୟ ଦାଣ୍ଡିସାହି ସ୍ଥିତ ବ୍ରାହ୍ମଣୀ କଲେଜର ଯୁକ୍ତଦୁଇ ବିଜ୍ଞାନ ଛାତ୍ର । ଏବେ ତାଙ୍କର ପରୀକ୍ଷା ଚାଲିଥିଲା । ଆସନ୍ତା ମାର୍ଚ୍ଚ ୨୭ ତାରିଖରେ ଥିଲା ପରବର୍ତ୍ତୀ ପରୀକ୍ଷା । କିନ୍ତୁ ଜୀବନର ସବୁ ପରୀକ୍ଷାକୁ ଅଧାରୁ ଛାଡି ସେ ଆରପାରିକୁ ଚାଲିଗଲେ ।

ସୌଭାଗ୍ୟ ଏକ ମାତ୍ର ପୁଅ ହୋଇ ଥିବା ବେଳେ ଘରେ ବାପା, ମା ଓ ସାନ ଭଉଣୀ । ଏପଟେ ଘରେ ହରିବଂଶ ପୋଥି ପଢାଯାଉଥିଲା । ଆଜି ପୋଥି ପଢିଥାନ୍ତେ ଏବଂ ଭୋଜି ଭାତ ହୋଇଥାନ୍ତା । କିନ୍ତୁ ପୁଅ ଗାଧୋଇବାକୁ ଯାଇ ଆଉ ଫେରିନଥିଲା । କିନ୍ତୁ ପରିବାର ଲୋକେ ଏଭଳି ଦୁଃଖଦାୟୀ ସମୟରେ ମଧ୍ୟ ମହତ କାମ କରିବାକୁ ପଛାଇନାହାନ୍ତି । ପରିବାର ଲୋକେ ଶେଷ ମୁହୂର୍ତ୍ତରେ ସୌଭାଗ୍ୟଙ୍କ ଚକ୍ଷୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଗଲା । ପୁଅକୁ ତ ହରାଇଲେ କିନ୍ତୁ ଏବେ ପୁଅ ଆଖିରେ ଆଉ ଜଣେ ନୂଆ ଦୁନିଆ ଦେଖିବ ।

ନିକିରାଇ ଥାନା ଅନ୍ତର୍ଗତ କୁତରଙ୍ଗ ଗାଁର ଚନ୍ଦନ ସ୍ଵାଇଁ । ହୋଲି ଖେଳିସାରି ଘରପାଖ ପୋଖରିକୁ ଗାଧୋଇବା ପାଇଁ ଯାଇଥିଲେ । ପୋଖରୀକୁ ଡେଇଁ ଗାଧେଇବା ସମୟରେ ପଙ୍କରେ ଗୋଡ ଲାଗି ଯାଇଥିଲା । ଦେଖୁ ଦେଖୁ ପାଣିରେ ବୁଡିଗଲେ ଚନ୍ଦନ । ଯେଉଁ ପୋଖରୀରେ ପହଁରା ଅଭ୍ୟାସ କରି ପୋଲିସ ଚାକିରୀ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ସେହି ପୋଖରୀରେ ଜୀବନ ଚାଲିଗଲା ଚନ୍ଦନଙ୍କର । ଖୋଜାଖୋଜି କରି ଉପରକୁ ଆଣିବା ବେଳକୁ ଶରୀରରେ ଆଉ ପ୍ରାଣ ନାହିଁ ।

ଆଉ ଦୁଇଦିନ ପରେ ନୂଆକରି ପୋଲିସ ଚାକିରିରେ ଯୋଗ ଦେଇଥାନ୍ତେ ଚନ୍ଦନ । ରାଉରକେଲା ଠାରେ OSAP ଚତୁର୍ଥ ବାଟାଲିଅନ୍ ତାଙ୍କର ଚାକିରି ହୋଇଯାଇଥିଲା । ଚାକିରିକୁ ଯିବେ ବୋଲି ସବୁ ପ୍ରସ୍ତୁତି ସରିଥିଲା । କିନ୍ତୁ ଦଇବର ଇଚ୍ଛା ଥିଲା କିଛି ଭିନ୍ନ । ପୋଲିସ ଚାକିରୀ କରିବା ପୂର୍ବରୁ ହିଁ ଆରପାରିକୁ ଚାଲିଗଲା ଚନ୍ଦନ । ଚନ୍ଦନ ବାପା ମା’ଙ୍କର ଗୋଟିଏ ପୁଅ । ଦୁଇ ଭଉଣୀ ବିବାହିତା । ଏହି ଘଟଣା ପରେ ପରିବାରର ଦୁଃଖ କହିଲେ ନସରେ । ଦାଣ୍ଡ ପିଣ୍ଡାରେ ବସି ଲୁହ ଗଡାଉଛନ୍ତି ବୃଦ୍ଧ ପିତାମାତା ।

ଏମିତି ଅବେଳରେ ଭେଣ୍ଡିଆ ପୁଅଙ୍କୁ ହରାଇ ଉଭୟ ପରିବାର ଆଖିରୁ ଲୁହ ଶୁଖୁନି । ସୌଭାଗ୍ୟ ଏବଂ ଚନ୍ଦନଙ୍କ ଅକାଳ ବିୟୋଗରେ କେବଳ ପରିବାର ଲୋକେ ନୁହେଁ ବରଂ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଛି ।

Also read: ମା’ ମରି ଶୋଇଛି, ରାତି ସାରା ମୋବାଇଲ ଧରି ଗୀତ ଶୁଣୁଛି ୩ ବର୍ଷର ପୁଅ