ପୁଣି ଛତିଶଗଡର ଦାଦାଗିରି: ଡ୍ୟାମରୁ ପାଣି ଛାଡିବାରୁ ନବରଙ୍ଗପୁର ଗମ୍ଭାରିଗୁଡ଼ା ପଞ୍ଚାୟତର ୨୦ଏକର ଚାଷ ଜମି ନଷ୍ଟ
ନବରଙ୍ଗପୁର: ପୁଣି ଛତିଶଗଡର ଦାଦାଗିରି । ମହାନଦୀ ପାଣି ଅଟକାଇ ନାଲି ଆଖି ଦେଖାଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରିଗୁଡ଼ା ପଞ୍ଚାୟତର ଚାଷୀ ପ୍ରବଳ କ୍ଷତିଗ୍ରସ୍ତ ହୋଇଛନ୍ତି । ଛତିଶଗଡ଼ ରାଜ୍ୟ ଆମଲିପଦର୍ ପଞ୍ଚାୟତର ଘୁମୁରାପଦର୍ ଡ୍ୟାମ୍ ପାଣି ଛାଡିଦେବାରୁ ଗମ୍ଭାରିଗୁଡା ପଞ୍ଚାୟତର ଖପରଡିହି, ଖଇରଭାଡି ଗାଁର ପ୍ରାୟ ୨୦ ଏକର ଚାଷ ଜମି ନଷ୍ଟ ହୋଇଯାଇଛି ।
ତେଲ ନଦୀ ପଠାରେ ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଚାଷୀ ମାନେ ପନିପରିବା ସହ ବିଭିନ୍ନ ଫଳମୂଳ ଚାଷ କରି ଜୀବିକା ନିର୍ବାହ କରନ୍ତି । ତେବେ ଛତିଶଗଡ଼ ଉପର ମୁଣ୍ଡରେ ହୋଇଥିବା ଘୁମୁରା ପଦର ଡ୍ୟାମ ପାଣି ଛାଡ଼ି ଦେବା ଦ୍ୱାରା ତେଲ ନଦୀ ତଳ ମୁଣ୍ଡରେ ଚାଷ ଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ । ଏଥିସହ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଚାଷୀ ।