ଅଣଛାତ୍ରଙ୍କ ମାଡ଼ରେ ସ୍କୁଲ ଶିକ୍ଷକ ଓ ୨ ଛାତ୍ର ଆହତ, ଥାନାରେ ଲିଖିତ ଅଭିଯୋଗ କଲେ ପ୍ରଧାନଶିକ୍ଷକ

ନୟାଗଡ : ଅଣଛାତ୍ରଙ୍କ ମାଡ଼ରେ ସ୍କୁଲ ଶିକ୍ଷକ ଓ ୨ ଛାତ୍ର ଆହତ। ଏଭଳି ଏକ ଘଟଣା ନୟାଗଡ ଜ଼ିଲ୍ଲା ସଦର ଥାନା ନିକଟ ମାଛିପଡ଼ା ଶ୍ୟାମବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଗତ ମାସ ୨୪ ତାରିଖରେ ଜାତୀଆଣ ଭେଦ ଭାବକୁ ନେଇ ସ୍କୁଲର ୨ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ମାଡପିଟି ହୋଇଥିଲା । ସଦର ଥାନା ପୋଲିସ ପଂହଁଚି ତଦନ୍ତ କରିବା ସହ ଏକ ମାମଲା ରୁଜୁ କରିଛି ।

ଆଜି ସକାଳୁ ସ୍କୁଲରେ ଛାତ୍ରଛାତ୍ରୀମାନେ ଫୁଟୁବଲ ଖେଳିଥିଲେ । ଫୁଟୁବଲକୁ ନେଇ  ଛାତ୍ରଙ୍କ ମଧ୍ୟରେ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା। ପ୍ରାର୍ଥନା ସମୟରେ ସମସ୍ତେ ମିଶି  ପ୍ରାଥନା କରିଥିଲେ । ପ୍ରାର୍ଥନା ପରେ ପ୍ରାୟ ୨୦ ଜଣ ଅଣଛାତ୍ର ସ୍କୁଲକୁ ଆସିଥିଲେ । ଅଚାନକ ୨ ଛାତ୍ରଙ୍କୁ ମାଡ଼ ମାରିବା ସହ ଶିକ୍ଷକଙ୍କୁ ମାଡ଼ ମାରିଥିଲେ । ଆହତ ୨ ଛାତ୍ରଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି । ସ୍କୁଲ ପ୍ରଧାନଶିକ୍ଷକ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ ଜାରି ରହିଛି ।