ଇସ୍ରୋ ପରିଦର୍ଶନ କଲେ ୨୦ ଓଡ଼ିଆ ଛାତ୍ରଛାତ୍ରୀ, ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣରେ ଜିତି କରିଥିଲେ ଗସ୍ତ

ଭୁବନେଶ୍ୱର : ଇସ୍ରୋ ପରିଦର୍ଶନ କଲେ ଓଡ଼ିଆ ଛାତ୍ରଛାତ୍ରୀ । ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ) ୨୦୨୩ର ବିଜେତା ଛାତ୍ରଛାତ୍ରୀମାନେ ଇସ୍ରୋ ପରିଦର୍ଶନ କରିଛନ୍ତି। ଇସ୍ରୋର ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର ଏବଂ ଅମ୍ମଦାବାଦର ସାଇନ୍ସ ସିଟି ପରିଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପଠାଣି ସାମନ୍ତ ପ୍ଲାନେଟୋରିୟମ ଠାରେ ପରିଦର୍ଶନ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଓଡ଼ିଶାର ୩୦ଟି ଜିଲ୍ଲାର ୩୦୦ରୁ ଅଧିକ ସ୍କୁଲରୁ ଚୟନ ହୋଇଥିଲେ ୨୦ ଜଣ ବିଜେତା । ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତେବେ ଚଳିତବର୍ଷର ବିଷୟବସ୍ତୁ “ଦ ମୁନ୍ ବେସ୍ – ଫ୍ୟୁଚର ଲଞ୍ଚପ୍ୟାଡ ଫର ସ୍ପେସ୍” ଅଂଶଗ୍ରହଣକାରୀଙ୍କ ଚିନ୍ତନକୁ ଆକର୍ଷିତ କରିଛି । ଏବଂ ମହାଜାଗତିକ ସମ୍ଭାବନାର ଅନୁସନ୍ଧାନ ପାଇଁ ପ୍ରତିଶ୍ରୁତି ଦେଇଛି ।

ଏହି ଅବସରରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ତଥା ପଠାଣି ସାମନ୍ତ ପ୍ଲାନେଟୋରିୟମର ଅଧ୍ୟକ୍ଷା ଶ୍ରୀମତୀ ଚିତ୍ରା ଆରୁମୁଗମ୍‌, ପଠାଣି ସାମନ୍ତ ପ୍ଲାନେଟୋରିୟମର ନିର୍ଦେଶକ ପ୍ରସନ୍ନ ପାତ୍ର ଓ ଟାଟା ଷ୍ଟିଲ୍ ଭୁବନେଶ୍ୱରର ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ (ସିଆରଇ) ଦେବାଶିଷ ଜେନା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

ୟାଟ୍‌ସ ଆୟୋଜନର ସମସ୍ତ ସହଯୋଗ ପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମକୁ ଧନ୍ୟବାଦ ଜଣାଇ ଟାଟା ଷ୍ଟିଲ୍ ଭୁବନେଶ୍ୱରର ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ (ସିଆରଇ) ଶ୍ରୀ ଦେବାଶିଷ ଜେନା କହିଥିଲେ ଯେ, “ୟାଟ୍‌ସ ହେଉଛି ଏକ ଅଗ୍ରଣୀ ପଦକ୍ଷେପ ଯାହା ଛାତ୍ରଛାତ୍ରୀମାନଙ୍କୁ ପାରମ୍ପରିକ ଶୈକ୍ଷିକ ସୀମା ଅତିକ୍ରମ କରି ସେମାନଙ୍କର ବୈଜ୍ଞାନିକ ଉତ୍ସୁକତାକୁ ପୋଷଣ କରିବାକୁ ଉତ୍ସାହିତ କରୁଛି । ବର୍ଷ ବର୍ଷ ଧରି ଏହି ପ୍ଲାଟଫର୍ମକୁ ସଫଳ କରିବାରେ ଓଡ଼ିଶା ସରକାର ଏବଂ ପଠାଣି ସାମନ୍ତ ପ୍ଲାନେଟୋରିୟମର ନିରନ୍ତର ସହଯୋଗ ପାଇଁ ଆମେ କୃତଜ୍ଞ । ଆମେ ପ୍ରକୃତରେ ଏହି ଯୁବ ବିଜେତାମାନଙ୍କୁ ଇସ୍ରୋର ବ୍ୟବସ୍ଥା ଅନୁସନ୍ଧାନ କରିବା ଏବଂ ସେମାନଙ୍କ ଜ୍ୟୋତିର୍ବିଜ୍ଞାନ ସ୍ୱପ୍ନକୁ ଆଗକୁ ବଢ଼ାଇବାର ସୁଯୋଗ ପ୍ରଦାନ କରିବାକୁ ଉତ୍ସାହିତ ।’’

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅତିରିକ୍ତ ସଚିବ ଶ୍ରୀମତୀ ଶିବାନୀ ମହାନ୍ତି, ଯୁଗ୍ମ ସଚିବ ଶ୍ରୀମତୀ ପୂଜା ମିଶ୍ର, ଡେପୁଟି ସେକ୍ରେଟାରୀ ଶ୍ରୀମତୀ ଉର୍ମିପ୍ରଭା ମହାରଣା, ବରିଷ୍ଠ ବୈଜ୍ଞାନିକ, ଲକ୍ଷ୍ମୀନାରାୟଣ ପାଢ଼ୀ, ଏବଂ ଅଣ୍ଡର ସେକ୍ରେଟାରୀ ଶ୍ରୀ ପଦ୍ମଲୋଚନ ଦାସ, ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

୨୦୦୭ ମସିହାରେ ଆରମ୍ଭ ହେବା ପରଠାରୁ ୟାଟ୍‌ସ ପଠାଣି ସାମନ୍ତଙ୍କ କୃତ୍ୱିତ୍ୱକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନ ବିଷୟରେ ସଚେତନତା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି । ଦୀର୍ଘ ୧୭ ବର୍ଷ ଧରି ୟାଟ୍‌ସ ରାଜ୍ୟର ୩,୫୦,୦୦୦ରୁ ଅଧିକ ଯୁବ ବିଜ୍ଞାନପ୍ରେମୀଙ୍କୁ ଜ୍ଞାନ ଆହରଣ ପାଇଁ ଉତ୍ସାହିତ କରିଛି ଏବଂ ୧୭ତମ ସଂସ୍କରଣ ସମେତ ୨୦୦ ଜଣ ଛାତ୍ରଛାତ୍ରୀ ଇସ୍ରୋର ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ କରିବାର ସୁଯୋଗ ପାଇଛନ୍ତି ।