ଚାକିରି କରାଇବାର ପ୍ରଲୋଭନ ଦେଖାଇ ୨୦ ହଜାର ଟଙ୍କା ଓ ମୋବାଇଲ ଧରି ଚମ୍ପଟ

ଉମରକୋଟ: କୋର୍ଟରେ ପିଅନ ଚାକିରି କରେଇ ଦେବେ କହି ୨୦ ହଜାର ଟଙ୍କା ସହ ମୋବାଇଲ ଧରି ଚମ୍ପଟ ମାରିଲେ ଲୁଟେରା । ଏଭଳି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଘଟିଛି । ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତିଙ୍କ କୋର୍ଟରେ ପିଅନ ଚାକିରି କରାଇବାର ପ୍ରଲୋଭନ ଦେଖାଇ ୨୦ ହଜାର ଟଙ୍କା ଓ ମୋବାଇଲ ଧରି ଚମ୍ପଟ ମାରିବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ଏନେଇ ଠକେଇର ଶିକାର ହୋଇଥିବା ଯୁବକ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ ଝରିଗାଁ ବ୍ଲକର ଚିକିଲି ଗ୍ରାମର ଗଜେନ୍ଦ୍ର ଗୌଡ଼ ଦାଦନ ଖଟିବାକୁ ଚେନ୍ନାଇ ଯାଇଥିଲେ । ତେବେ ଚଳିତ ବର୍ଷ ଜୁନ ୨୨ ତାରିଖ ଦିନ ଗଜେନ୍ଦ୍ର ଘରକୁ ଫେରିବା ପାଇଁ ଚେନ୍ନାଇ ସେଣ୍ଟ୍ରାଲ ରେଲୱେ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କଲା ବେଳେ ଜଣେ ଅଜଣା ବ୍ୟକ୍ତି ମୋ ଘର ନବରଙ୍ଗପୁର କହି ତାଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରିଥିଲା । ଏହା ପରେ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି ହେବା ସହ ମୋବାଇଲ ନମ୍ବର ମଧ୍ୟ ଦିଆ ନିଆ ହୋଇଥିଲା । ଗଜେନ୍ଦ୍ର ଘରକୁ ଆସିବା ପରେ ମୋବାଇଲ ଯୋଗେ ନିୟମିତ ଭାବରେ କଥାବାର୍ତ୍ତା ମଧ୍ୟ ହେଉଥିଲା ।

ତେବେ ଗୋଟିଏ ଦିନ ଉମରକୋଟର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ପିଅନ ଚାକିରୀ କରେଇ ଦେବି କହି ପ୍ରୋଲଭନ ଦେଖାଇଥିଲା ଲୁଟେରା । ପରେ ଏହି ଲୁଟେରା ଗତ ୨୩ ଜୁଲାଇ ତାରିଖ ଦିନ ଉମରକୋଟ କୋର୍ଟ ପାଖରେ ଟଙ୍କା ଓ କିଛି କାଗଜ ପତ୍ର ଧରି ଆସିବାକୁ କହିଥିଲେ । ଏହାପରେ ଗଜେନ୍ଦ୍ର ଉମରକୋଟର କୋର୍ଟ ପାଖରେ ପହଞ୍ଚି ଉକ୍ତ ବ୍ୟକ୍ତି ସହ ସାକ୍ଷାତ କରିବା ପରେ ୨୦ ହଜାର ଟଙ୍କା ଦେଇଥିଲେ ଏବଂ ଏକ ଓଟିପି ଆସିବ କହି ଗଜେନ୍ଦ୍ରଙ୍କ ମୋବାଇଲ ମାଗି ନେଇଥିଲେ ।

ଅନ୍ୟପଟେ କିଛି କାଗଜ ଜେରକ୍ସ କରିକି ଆଣିବାକୁ କହି ଲୁଟେରା ଗଜେନ୍ଦ୍ରକୁ ଜେରକ୍ସ ଦୋକାନକୁ ପଠାଇଦେଇଥିଲା । ପରେ ଗଜେନ୍ଦ୍ର ସଙ୍ଗେ ସଙ୍ଗେ ଜେରକ୍ସ କରି ଆସି ଦେଖନ୍ତି ତ ସେହି ବ୍ୟକ୍ତି ଆଉ ସେଠିନାହାନ୍ତି । ଗଜେନ୍ଦ୍ର ଭାବିଲା ଉକ୍ତ ବ୍ୟକ୍ତି ଜଣଙ୍କ ବୋଧେ କୋର୍ଟ ଭିତରେ ଅଛନ୍ତି । ତେବେ ଗଜେନ୍ଦ୍ର ଓ ତାଙ୍କ ବାପା ଉକ୍ତ ବ୍ୟକ୍ତିଙ୍କୁ ସନ୍ଧ୍ୟା ୫ ଟା ଯାଏଁ ଅପେକ୍ଷା କରିଥିଲେ, ଯେତେବେଳେ ସେ ଦେଖିଲା ସେହି ବ୍ୟକ୍ତିଙ୍କ ଦେଖା ମିଳୁ ନାହିଁ । ଗଜେନ୍ଦ୍ର କୋର୍ଟ ଭିତରେ ପ୍ରବେଶ କରି କୋର୍ଟ କର୍ମଚାରୀଙ୍କୁ ଉକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ପଚାରି ଥିଲେ ।

ଏହାର ଉତ୍ତରରେ କୋର୍ଟ କର୍ମଚାରୀ ମାନେ ସେହିଭଳି କେହି ଏଠାରେ ନାହାନ୍ତି ଏବେ ଆମେ ଜାଣିନୁ କହିବା ପରେ ଗଜେନ୍ଦ୍ରଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା । ଶେଷରେ କୌଣସି ଉପାୟ ନ ପାଇ ଗଜେନ୍ଦ୍ର ଉମରକୋଟ ଥାନାରେ ଲିଖିତ ଅଭିଯୋଗ କଲେ । ଅଭିଯୋଗ ପାଇବା ପରେ ପୋଲିସ ଉମରକୋଟ କୋର୍ଟକୁ ଯାଇ ସି ସି ଟିଭି କ୍ୟାମେରା ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ ଚଳାଇଛନ୍ତି । ଯୁଗ ଯେତିକି ଯେତିକି ଆଗକୁ ଯାଉଛି ଚୋରମାନେ ମଧ୍ୟ ପୋଲିସ ଆଖିରେ ଧୂଳି ଦେଇ ସେହି ଅନୁସାରେ ନୂଆ ନୂଆ ଉପାୟରେ ଚୋରି କରୁଥିବା ଦେଖିବାକୁ ମିଳୁଛି । ଯାହାର ଟେର ପାଉନି ପୋଲିସ ।