୨୦୦୦ରୁ ୨୦୨୪ ଥିଲା ଓଡ଼ିଶା ବିକାଶର ନୂଆ ଯୁଗ : ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଓଡ଼ିଶା ଆଜି ଏକ ମଜଭୁତ ଭିତ୍ତିଭୂମି ଉପରେ ଆଗକୁ ବଢ଼ୁଛି । ଓଡ଼ିଶାର ବିକାଶକୁ କେହି ରୋକି ପାରିବେ ନାହିଁ । ଶଙ୍ଖ ଭବନରେ ଆୟୋଜିତ ଉତ୍କଳ ଦିବସରେ ଯୋଗ ଦେଇ ଏହି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କହିଛନ୍ତି, ୨୦୦୦ରୁ ୨୦୨୪ ଥିଲା ଓଡ଼ିଶା ବିକାଶର ନୂଆ ଯୁଗ । ସବୁଠାରୁ ବଡ଼ ସଫଳତା ଥିଲା ଦାରିଦ୍ର୍ୟ ହ୍ରାସ । ଦାରିଦ୍ର୍ୟ ୭୦ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ ପାଇଥିଲା । ଏ ସମୟରେ ଓଡ଼ିଆ ଭାଷାକୁ ମିଳିଥିଲା ଶାସ୍ତ୍ରୀୟ ମାନ୍ୟତା । ଓଡ଼ିଆ ବିଶ୍ୱବିଦ୍ୟାଳୟ ସହ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ଉପରେ ଗବେଷଣା ପାଇଁ ଚେୟାର ପ୍ରତିଷ୍ଠା ହୋଇଥିଲା। କୃଷି ଭିତ୍ତିଭୂମି, ଅର୍ଥନୀତି, କ୍ରୀଡ଼ା, ନିବେଶ, ବିପର୍ଯ୍ୟୟ ପରିଚାଳନା, ଶିକ୍ଷା, ସ୍ବାସ୍ଥ୍ୟ ସହିତ ବିକାଶର ବିଭିନ୍ନ ସୂଚକାଙ୍କରେ ଓଡ଼ିଶା ଆଗରେ ରହିଛି । ବିଜୁ ବାବୁଙ୍କ ସ୍ୱପ୍ନ ଥିଲା ଏସିଆରେ ଓଡ଼ିଶାକୁ ୧ ନମ୍ବର ରାଜ୍ୟ କରିବା । ସମସ୍ତଙ୍କ ସହଯୋଗ ରହିଲେ ଏହି ଲକ୍ଷ୍ୟ ନିଶ୍ଚୟ ପୂରଣ ହେବ ବୋଲି ନବୀନ କହିଛନ୍ତି ।