ମାଟି ତଳୁ ମିଳିଛି ୨ ହଜାର ବର୍ଷ ତଳର ପ୍ରାଚୀନ ସଭ୍ଯତା ଓ ଐତିହର ସନ୍ଧାନ

ବରଗଡ(କେନ୍ୟୁଜ): ମାଟି ତଳୁ ମିଳିଛି ୨ ହଜାର ବର୍ଷ ତଳର ପ୍ରାଚୀନ ସଭ୍ଯତା ଓ ଐତିହର ସନ୍ଧାନ । ବରଗଡ ଜିଲ୍ଲା ବରପାଲି ବ୍ଲକ ଅସୁରଗଡ ଗ୍ରାମରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବ ବିଦ୍ୟାଳୟର ଇତିହାସ ବିଭାଗ ଏହି ପୁରାତନ ସଭ୍ଯତାର ଆବିଷ୍କାର କଲା ପରେ ଏଭଳି ପ୍ରାଚୀନ ସଭ୍ଯତାର ମୁକସାକ୍ଷୀକୁ ପୁନଃଉଦ୍ଧାର ଓ ସଂରକ୍ଷଣ ପାଇଁ ଏଏସଆଇ କୁ ଦାୟିତ୍ବ ଦେବା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ଯଟନ ମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଅସୁରଗଡ ଗ୍ରାମରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବ ବିଦ୍ୟାଳୟର ଇତିହାସ ବିଭାଗର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ୧୭ ହେକ୍ଟର ପରିମିତ ଜାଗାରେ ଚାଲିଥିଲା ଖନନ କାର୍ଯ୍ଯ । ଗୋଟିଏ ଲେୟାର ପରେ ଗୋଟିଏ ଲେୟାର ଖନନ କାର୍ଯ୍ଯ ଜାରି ରଖିଥିଲେ ଛାତ୍ରଛାତ୍ରୀମାନେ । ଛାତ୍ରଛାତ୍ରୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ମିଳିଥିଲା ପୁରାତନ ସଭ୍ଯତାର ଖପରା,ବିଟସ,ମାଟିପତ୍ର,ମୂଲ୍ଯବାନ ପଥରର ଭଗ୍ନାଂଶ,ମୁଦ୍ରା ଭଳି ଅନେକ ସାମଗ୍ରୀ ଯାହା ୨ ହଜାର ବର୍ଷ ପୂର୍ବର ବୋଲି ଅନୁମାନ କରିଛନ୍ତି ଛାତ୍ରଛାତ୍ରୀ । ଏଭଳି ଏକ ପ୍ରଶିକ୍ଷଣ କ୍ଷେତ୍ରରେ ସାମିଲ ହେବା ସହ ପ୍ରାଚୀନ ସଭ୍ଯତା ଓ ଐତିହର ବିଷୟ ଜାଣି ବେଶ ଉତ୍ସାହିତ ହୋଇଛନ୍ତି ଛାତ୍ରଛାତ୍ରୀ ।

ଅସୁରଗଡର ଇତିହାସ ଜାଣିବା ପାଇଁ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଫିଲଡ ଟ୍ରେନିଂ ଦେବା ପାଇଁ ଦୁଇବର୍ଷ ପୂର୍ବେ ଭାରତ ସରକାରଙ୍କୁ ଲାଇସେନ୍ସ ମାଗିଥିଲେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବ ବିଦ୍ୟାଳୟର ଇତିହାସ ବିଭାଗ । ଲାଇସେନ୍ସ ମିଳିବା ପରେ ଦୀର୍ଘ ୧୫ ଦିନ ଧରି ଏକ ବିଶେଷଜ୍ଞ ଦଳର ନେତୃତ୍ବରେ ୬୦ ଜଣ ଛାତ୍ରଛାତ୍ରୀ ସାମିଲ ଥିଲେ । ବର୍ଷାଋତୁ ଆରମ୍ଭ ଯୋଗୁଁ ଖନନ କାର୍ଯ୍ଯ ପାଇଁ ବାଧା ସୃଷ୍ଟି ହୋଇଛି । ଆଗକୁ ଅଧିକ ରିସର୍ଜ କରିବା ପାଇଁ ପୁଣି ଥରେ ଆସନ୍ତା ବର୍ଷ ଖନନ କାର୍ଯ୍ଯ ଆରମ୍ଭ କରିବୁ ବୋଲି କହିଛନ୍ତି ବିଶେଷାଜ୍ଞ ଦଳ । ଅନ୍ଯପଟେ ଏଭଳି ଏକ ବୃହତ ପ୍ରାଚୀନ ସଭ୍ଯତାର ସନ୍ଧାନ ମିଳିବା ବିରଳ ,ଅତ୍ୟନ୍ତ ସଂବେଦନଶୀଳ ,ଐତିହାସିକ ଗୁରୁତ୍ବ ଓ ସମ୍ଭାବ୍ଯ ରହସ୍ଯ ଉନ୍ମୋଚନ କରିବା ପାଇଁ ଏଏସଆଇ କୁ ହସ୍ତାନ୍ତର କରିବା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ଯଟନ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏଭଳି ଏକ ଐତିହାସିକ ସ୍ଥାନର ପୁନଃଉଦ୍ଧାର ସହ ପରୀକ୍ଷା,ନିରୀକ୍ଷା,ସମୀକ୍ଷା ଏଏସଆଇ ହାତକୁ ନେଇ ସେହି ପୁରାତନ ସଭ୍ଯତାର ସନ୍ଧାନ କଲେ ଆଗାମୀ ପିଢି ସେହି ସମୟର ଐତିହକୁ ଜାଣିପାରନ୍ତେ ।

 

 

 

Leave A Reply

Your email address will not be published.