ପେନସନ୍ ପାଇଁ ୨୧ ବର୍ଷର ସଂଘର୍ଷ : ଅଫିସ୍ରୁ ଅଫିସ୍, କୋର୍ଟ କଚେରୀ ପରେ ଏବେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିଛନ୍ତି ପ୍ରମୋଦ

ଆନନ୍ଦପୁର : ଏ ଅଫିସ ରୁ ସେ ଅଫିସ୍ ଦୌଡି, ଆଉ ପାଦରେ ବଳ ନାହିଁ କି ବୟସ ବି ନାହିଁ । ଏମିତି ମୁଁ ଆଉ କେତେ ଦୌଡୁଥିବି । କଣ କେହି କେବେ ମୋ କଥା ଶୁଣିବେନି ? ଏଇ ଆଶାରେ ହେଇଗଲାଣି ୨୧ ବର୍ଷ । ହଁ ଆଜ୍ଞା ସରକାରୀ ଚାକିରିରୁ ଅବସର ନେବାର ୨୧ ବର୍ଷ ବିତି ଗଲାଣି, ହେଲେ ଏବେ ସୁଦ୍ଧା ମିଳି ପାରିନି ପେନସନ୍। ଏପରିକି ପେନସନ୍ ଟଙ୍କା ପାଇଁ ଦୀର୍ଘ ବର୍ଷ ହେବ ବିଭାଗୀୟ କାର୍ଯ୍ଯାଳୟକୁ ଦୌଡୁଥିଲେ । ତାପରେ ନିଜର ହକ୍ ପାଇବାକୁ କୋର୍ଟ କଚେରୀକୁ ବି ଦୌଡ଼ିଲେ । ଶେଷରେ କୋର୍ଟଙ୍କ ରାୟ ମଧ୍ଯ ତାଙ୍କ ସପକ୍ଷରେ ଆସିଛି । ଏସବୁ ଭିତରେ ବିନା ଅର୍ଥରେ ଅନେକ କଷ୍ଟ ଭୋଗିଛନ୍ତି । ଏମିତିକି ନିଜ ସ୍ତ୍ରୀଙ୍କୁ ଚିକିତ୍ସା ଅଭାବରୁ ମଧ୍ୟ ହରାଇବାକୁ ପଡିଛି ତାଙ୍କୁ। ତଥାପି ପେନସନ୍ ନଦେବାକୁ ଯେମିତି ପଣକରି ବସିଛନ୍ତି ବଡବାବୁ ମାନେ।
ସବୁଠାରେ ନିରାଶ ହେବାପରେ ଏବେ ରାହା ପାଇଛନ୍ତି ଆନନ୍ଦପୁର ବ୍ଲକ୍ ଶାଳବଣି ଗାଁର ପ୍ରମୋଦ ନାଥ। ପ୍ରମୋଦ ଜଳସମ୍ପଦ ବିଭାଗର ଅବସର ପ୍ରାପ୍ତ କର୍ମଚାରୀ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ମିଳିଛି ସହାୟତାର ପ୍ରତିଶ୍ରୁତି । ଜଳ ସମ୍ପଦ ବିଭାଗ ଅନ୍ତର୍ଗତ ଆନନ୍ଦପୁର ବୈତରଣୀ ବିଭାଗରେ ୧୯୭୯ରେ କାମ ଆରମ୍ଭ କରିଥିଲେ । ଡୋଜର ହେଲପର ପଦବୀରେ ଚାକିରି ଆରମ୍ଭ କରିଥିଲେ ପ୍ରମୋଦ। ଚାକିରି କାଳ ମଧ୍ଯରେ ତାଙ୍କର ଦୁଇ ଥର ପ୍ରମୋସନ ମଧ୍ଯ ହୋଇଛି, ଏପରିକି ଚତୁର୍ଥ ଶ୍ରେଣୀ କର୍ମଚାରୀରୁ ୩ୟ ଶ୍ରେଣୀ କର୍ମଚାରୀ ଯଥା ଡ୍ରୋଜର ଅପରେଟର କମ୍ ଓ୍ବେଜେସ୍ ଖଲାସି ହୋଇଛନ୍ତି । ହେଲେ ସର୍ଭିସ୍ ବୁକ୍ ଓ ବିଭିନ୍ନ ବିଭାଗୀୟ ଦସ୍ତାବିଜରେ ଏହି ପଦବି ରହିଥିବା ବେଳେ ଅବସର ସମୟରେ ବିଭାଗୀୟ ଡିଲିଂ ଆସିଷ୍ଟାଣ୍ଟ ପ୍ରମୋଦଙ୍କ ମୂଳ ପଦବିକୁ ବଦଳାଇ ଓ୍ବାର୍କ ଚାର୍ଜ ଲେଖି ଦେବାରୁ ପେନସନ୍ ପାଇବାରୁ ବଞ୍ଚିତ ରହିଛନ୍ତି ପ୍ରମୋଦ।
ଏହି ଭୁଲକୁ ସୁଧାରି ପେନସନ୍ ଦେବାକୁ ବିଭାଗୀୟ ଅଧିକାରୀଙ୍କ ଦପ୍ତର କେତେ ଥର ଯେ ଦୌଡିଛନ୍ତି ତାହା କହିବା ମୁସ୍କିଲ, ହେଲେ କେହି ଶୁଣି ନାହାନ୍ତି ପ୍ରମୋଦଙ୍କ କଥା। ପରବର୍ତ୍ତୀ ସମୟରେ ଆଇନର ଆଶ୍ରୟ ନେଇ ବିଭାଗୀୟ ଟ୍ରିବୁନାଲ କରିଥିଲେ । ଟ୍ରିବୁନାଲଙ୍କ ରାୟ ତାଙ୍କ ସପକ୍ଷରେ ଯାଇଛି। ତଥାପି ବି କେହି ତାଙ୍କ କଥା ବୁଝୁ ନଥିବାରୁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ ମଧ୍ଯ ୩ ମାସ ମଧ୍ଯରେ ପ୍ରମୋଦଙ୍କୁ ସମସ୍ତ ବକେୟା ପରିଶୋଧ ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ, ହେଲେ ତାକୁ ମଧ୍ୟ ଖାତିର କଲାନି ବାଭାଗ। ଶେଷରେ କିଛିଦିନ ତଳେ ପ୍ରମୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦେଖା କରି ସବୁ କଥା ଜଣାଇବା ପରେ ପେନସନ୍ ପ୍ରଦାନ ପାଇଁ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
୨୦୦୩ ମସିହା ମାର୍ଚ୍ଚ ମାସ ଶେଷରେ ଗଞ୍ଜାମ ଜିଲ୍ଲାରେ କାର୍ଯ୍ଯରତ ଥିବା ସମୟରେ ପ୍ରମୋଦ ଅବସର ଗ୍ରହଣ କରିଥିଲେ। ଅବସର ପରେ ଜିପିଏଫ, ଜିଆଇସି, ଗ୍ରାଚୁଇଟି ଓ ସରେଣ୍ଡର ଲିଭରେ ପାଇବାକୁ ଥିବା ନିଜ ପ୍ରାପ୍ୟ ସରକାରଙ୍କ ଠାରୁ ପାଇଛନ୍ତି। ୧୯୯୦ ମସିହାରୁ ପ୍ରମୋଦ ଚାକିରିରେ ନିୟମିତ ହେଲେ। ସରକାରୀ ନିୟମ ଅନୁଯାୟୀ ଜଣେ ଓ୍ବାର୍କ ଚାର୍ଜ ନିୟମିତ କର୍ମଚାରୀ ନୁହଁ। ହେଲେ ପ୍ରମୋଦ ଯଦି ଜଣେ ଓ୍ବାର୍କ ଚାର୍ଜ ତେବେ ସେ ଜିପିଏଫ ଟଙ୍କା ପାଇଲେ କେମିତି ବୋଲି ପ୍ରଶ୍ନ ଉଠୁଛି। ଏ ଭିତରେ ପ୍ରମୋଦ ଅର୍ଥାଭାବ ଯୋଗୁ କେତେ ଯେ କଷ୍ଟ ପାଇଛନ୍ତି ତାର ହିସାବ ନାହିଁ। ତେଣୁ ତୁରନ୍ତ ଏହାର ସମାଧାନ କରି ପେନସନ ଯୋଗାଇ ଦେବାକୁ ଦାବି ହେଉଛି।
ବିଭାଗୀୟ ଅବହେଳା ହେଉ କିମ୍ବା ଦାୟିତ୍ୱହୀନତା, କୋଉଠି ନା କୋଉଠି ତ୍ରୁଟି ରହିଛି । ଯେଉଁଥି ପାଇଁ ପ୍ରମୋଦଙ୍କ ଜୀବନ ଏପରି ଅସହାୟ ହୋଇପଡିଛି। ଶେଷ ସମୟରେ ମୁଖ୍ୟମନ୍ତ୍ରୀ ଅନ୍ତତଃ ଦେଇଥିବା ପ୍ରତିଶ୍ରୁତି ପାଳନ କରି ତାଙ୍କ ପେନସନ୍ ବ୍ୟବସ୍ଥା କରି ଦେବେ ବୋଲି ପ୍ରମୋଦ ଆଶା ଓ ଭରସା ରଖିଛନ୍ତି ।