ଅନୁଷ୍ଠିତ ହେଲା ୨୧ ତମ ଡଗରା ବେଳାଭୂମି ମହୋତ୍ସବ, ଛୁଟି ଆସିଛନ୍ତି ଶହ ଶହ ପର୍ଯ୍ୟଟକ

ଦୈନନ୍ଦିନ କର୍ମମୟ ଜୀବନରୁ ଟିକିଏ ଫୁରସତ୍ ପାଇବା ପାଇଁ ଲୋକେ ବୁଲିଯିବାକୁ ବାହାରନ୍ତି । ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ବଣଭୋଜିର ମଜା ନିଅନ୍ତି ଲୋକେ । ଆମ ରାଜ୍ୟ ଓଡିଶାରେ ବି ପ୍ରକୃତିର ଭରପୁର ଅବଦାନ ରହିଛି । ଅନେକ ନଦ ନଦୀ, ପାହାଡ ,ଝରଣା ଏବଂ ସମୁଦ୍ର ଜଙ୍ଗଲ ଉପହାର ସ୍ୱରୂପ ପ୍ରକୃତିରାଣୀ ଆମକୁ ଦେଇଛି । ଆଉ ଏହି ପ୍ରାକୃତିକ ପରିବେଶକୁ ନେଇ ଅନେକ ପର୍ଯ୍ୟଟନ କ୍ଷେତ୍ର ସୃଷ୍ଟି ହୋଇଛି ।
ସେଥିମଧ୍ୟରୁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଡଗରା ସମୂଦ୍ର ବେଳାଭୂମି ଅନ୍ୟତମ । ଏଠାରେ ୨୧ ତମ ଡଗରା ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସହାୟତାରେ ବାଲିଆପାଳ ବେଳାଭୂମି ମହୋତ୍ସବ କମିଟି ଏବଂ ପ୍ରେସକ୍ଲବ ବାଲିଆପାଳ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମ । ଡଗରା ବେଳାଭୂମିରେ ଥିବା ମନୋରମ ଧାଡି ଧାଡି ଝାଉଁ ଜଙ୍ଗଲ, ସୁବିସ୍ତିର୍ଣ୍ଣ ବାଲୁକା ଶଯ୍ୟା, ଅଗଭୀର ସମୁଦ୍ରର ସୁଉଚ୍ଚ ଲହଡି, ନାଲି ଗାଲିଚା ସଦୃଶ ମାଳ ମାଳ ନାଲି କଙ୍କଡାଙ୍କ ସମାବେଶ, ଶାନ୍ତ ପରିବେଶ ଆଦି ପ୍ରାକୃତିକ ବିଭବରେ ଅନନ୍ୟ ଓ ଅତୁଳନୀୟ ବୋଲି କହିଥିଲେ ଉପସ୍ଥିତ ଥିବା ସମସ୍ତ ଅତିଥି । ଡଗରା ବେଳାଭୂମି ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିଲେ ସୁଦ୍ଧା ସେମିତି ଆଖି ଦୃଶିଆ ବିକାଶ ହୋଇ ପାରିନି । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପ୍ରତ୍ୟେକ ଦିନ ରାଜ୍ୟ ସମେତ ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଛୁଟି ଆସୁଥିବା ବେଳେ ଯଦି ଏହି ବେଳାଭୂମିର ବିକାଶ କରା ଯାଇପାରନ୍ତା ତାହାଲେ ଜିଲ୍ଲା ସମେତ ରାଜ୍ୟର ଅର୍ଥନୈତିକ କ୍ଷେତ୍ରରେ ଅଭିବୃଦ୍ଧିର ସହାୟକ ହୋଇ ପାରନ୍ତା ବୋଲି ଅତିଥିମାନେ କହିଥିଲେ । ନୃତ୍ୟଶିଳ୍ପୀଙ୍କ ଦ୍ବାରା ନୃତ୍ୟ ପରିବେଷଣ କରାଯାଇଥିଲା। ସଂଧ୍ୟାରେ ମେଲୋଡି କଳାକାର ଓ ଅଭିନେତ୍ରୀ ପାୟଲଙ୍କ ନୃତ୍ୟରେ ଦର୍ଶକ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଖୁବ ଝୁମି ଥିଲେ ।
ବେଳାଭୂମି ମହୋତ୍ସବକୁ ଉପଭୋଗ କରିବା ପାଇଁ ଆସୁଥିବା ଲୋକେ ବେଳାଭୂମିରେ ବୁଲିବା ସହ ବିଭିନ୍ନ ଜିନିଷ କିଣାକିଣି ଏବଂ ଚଟପଟି ଖାଦ୍ୟର ମଜା ନେଇଥିଲେ । ତେବେ ଏହି ବେଳାଭୂମି ପ୍ରତି ଦୃଷ୍ଟି ଦିଆଗଲେ ଏହାର ଉନ୍ନତିକରଣ ହୋଇପାରିବ ।