ପନିର ଖାଇ ୨୨ ଅସୁସ୍ଥ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି

ମାଲକାନଗିରି : ପନିର ଖାଇ ୨୨ ଅସୁସ୍ଥ ।  ମାଲକାନଗିରି ଜିଲ୍ଲା ସଦର ମହକୁମା ଜୟପୁରିୟା ଗୁଡ଼ା କଲୋନୀ ଠାରେ ବିଷାକ୍ତ ପନିର ଖାଇ ଗୋଟିଏ ପରିବାରର ୨୨ ଜଣ ଅସୁସ୍ଥ ହୋଇ ପଡିଥିବା ଅଭିଯୋଗ ହୋଇଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୩ ରୁ ୪ ଜଣ ବର୍ତ୍ତମାନ ସୁସ୍ଥ ଥିବା ବେଳେ ଏବେ ମଧ୍ୟ ୧୭ ରୁ ୧୮ ଜଣ ଚିକିତ୍ସାଧୀନ ଅଛନ୍ତି ।

ଖୁବ ଶୀଘ୍ର ଏମାନେ ସୁସ୍ଥ ହୋଇଯିବେ ବୋଲି ବିଶେଷଜ୍ଞ ଡ଼ାକ୍ତର ପ୍ରଫୁଲ୍ଲ କୁମାର ବେହେରା କହିଛନ୍ତି। ଗତ ଏଗାର ତାରିଖ ଦିନ ମାଲକାନଗିରି ସହରରେ ବଡ଼ଠାକୁରଙ୍କ ଯାତ୍ରା ପର୍ବ ଚାଲୁଥିଲା। ଜୟପୁରିୟା ଗୁଡ଼ା ସ୍ଥିତ କୋପେ ପରିବାରଙ୍କ ଘରେ, ବଡ଼ଯାତ୍ରାକୁ ଦେଖିବାକୁ ସଂପର୍କୀୟ ଆସିଥିଲେ। ସମସ୍ତଙ୍କ ପାଇଁ ମାଲକାନଗିରି ସ୍ଥିତ ସୁବାଷ ଛକ ସ୍ଥିତ ଏକ ଓମଫେଡ ଦୋକାନରୁ ପନିର ଆଣି ରୋଷେଇ କରାଯାଇଥିଲା। ସମସ୍ତେ ପନିର ଖାଇ ଅସୁସ୍ଥ ହୋଇ ପଡିଥିଲେ। କାହାର ବାନ୍ତି ତ ଆଉ କାହାର ପେଟ ବ୍ୟଥା ହୋଇଥିଲା। ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଡାକ୍ତର ପ୍ରଫୁଲ୍ଲ କୁମାର ବେହେରା କହିଛନ୍ତି। କାହିଁକି ପନିର ଖାଇ ଏଭଳି ଘଟଣା ଘଟିଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଏନେଇ ତଦନ୍ତ କରିବା ଆବଶ୍ୟକ ବୋଲି ଦାବି ହୋଇଛି।