ପର୍ମିଟ ନଥିବା ରାସ୍ତାରେ ଯାଉଛି ବସ୍: ୧ଲକ୍ଷ ୬୩ହଜାର ଜରିମାନା ଆଦାୟ

ଯାଜପୁର ଟାଉନ୍: ନନ୍ ଏସି ବସରେ ଏସି ଭଡ଼ା । ମୁଁହ ଖୋଲିଲେ ବସ୍ ରୁ ଓଲ୍ହା। ଯାତ୍ରୀଙ୍କ ଠାରୁ ଆଦାୟ ହେଉଥିଲା ମନଇଚ୍ଛା ଭଡ଼ା । ବସରେ ଲାଗୁ ନାହିଁ ରେଟ ଚାର୍ଟ । ୪୦ ସିଟରେ ଯାଉଛନ୍ତି ୬୦ ଯାତ୍ରୀ । ଇଚ୍ଛା ଅନୁସାରେ ଷ୍ଟପେଜ୍ । ପର୍ମିଟ ନଥିବା ରାସ୍ତାରେ ଯାଉଛି ବସ୍ । ଯଦି କୌଣସି ସ୍ଥଳେ ଦୁର୍ଘଟଣା ଘଟେ ତେବେ ଯାତ୍ରୀଙ୍କୁ ମିଳିବ ନାହିଁ ସରକାରୀ ସହାୟତା । ଏଭଳି ସଙ୍ଗୀନ ଅଭିଯୋଗ ପରେ ପରିବହନ ବିଭାଗ କରିଛି କଡାକଡି ଯାଞ୍ଚ୍ ।
ଯାଜପୁରରୁ କଟକ,ଭୁବନେଶ୍ୱର ତଥା ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଉଥିବା ବସ୍ ଯାତ୍ରୀ ମାନଙ୍କ ଠାରୁ ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ଭଡ଼ା ଠାରୁ ଅଧିକ ଭଡ଼ା ଆଦାୟ କରୁଥିବା ଅଭିଯୋଗ ପରେ ଯାଜପୁର ଆଞ୍ଚଳିକ ପରିବହନ ଅଧିକାରୀ ନୀଳକଣ୍ଠ ପ୍ରଧାନଙ୍କ ନେତୃତ୍ବରେ ଯାଜପୁର ସଦର ଥାନା ଗଜିପାଢି ଛକ ନିକଟରେ ବସ୍ ଗୁଡ଼ିକର ଯାଞ୍ଚ କଡାକଡି କରାଯାଇଛି ।
ରାଜ୍ୟ ସରକାରଙ୍କ ସଡକ ପରିବହନ କତୃପକ୍ଷଙ୍କ ଦ୍ଵାରା ସାଧାରଣ ବର୍ଗର ସରକାରୀ ଧାର୍ଯ୍ୟ ଭଡ଼ା କିଲୋମିଟର ପିଛା ୮୮ ପଇସା, ଦ୍ରୁତଗାମୀ ବସ୍ ଭଡା କିମି ପିଛା ୯୨ ପଇସା ରହିଛି । ଏହି ଅନୁସାରେ ସାଧାରଣ ବସ୍ ରେ ଯାଜପୁରରୁ କଟକ ଭଡ଼ା ୬୬ ଟଙ୍କା ୯୯ ପଇସା ହେଉଥିବା ବେଳେ ଦ୍ରୁତଗାମୀ ବସ୍ ଭଡା ୬୯ ଟଙ୍କା ୯୨ ପଇସା ନେବା କଥା କିନ୍ତୁ ଏହି ବସ୍ ଗୁଡ଼ିକ ୧୦୦ ରୁ ୧୧୦ ଟଙ୍କା ପର୍ଯ୍ୟନ୍ତ ମନଇଚ୍ଛା ଭଡ଼ା ଆଦାୟ କରୁଛନ୍ତି । ସାଧାରଣ ଯାତ୍ରୀ ମାନଙ୍କଠାରୁ ଜୋର ଜୁଲମ୍ କରି ମନଇଚ୍ଛା ଭଡ଼ା ଆଦାୟ ସହ ଯାତ୍ରୀଙ୍କୁ ଟିକେଟ ଦିଆଯାଉ ନଥିବା ଅଭିଯୋଗ ହେଉଥିଲା ।
ଏପଟେ ବିଭିନ୍ନ ଅଭିଯୋଗକୁ ଭିତ୍ତି କରି ଯାଜପୁର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଯାଜପୁର ସଦର ଥାନା ଅନ୍ତର୍ଗତ ଗଜିପାଢ଼ି ଛକ ନିକଟରେ ଅଧିକାଂଶ ବସ୍ କୁ ଅଟକାଇ ଯାଞ୍ଚ କରି ଗାଡ଼ିର ଆବଶ୍ୟକୀୟ କାଗଜ ପତ୍ର ସହ ଯାତ୍ରୀମାନଙ୍କୁ ଭଡ଼ା ଓ ଟିକେଟ ସମ୍ପର୍କରେ ପଚରା ଉଚରା କରାଯାଇଥିଲା ।
ଏଥିରେ ଯାଜପୁର ଏମଭିଆଈ ଦୀପକ କୁମାର ସେଠୀଙ୍କ ସମେତ ଟିଆଇ ରଜତ ଶତପଥୀ, ଜୁନିଅର ଏମଭିଆଇ ଏନଫର୍ସମେଣ୍ଟ ପ୍ରଦୀପ କିଶୋର ବେହେରା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ । ପ୍ରାୟ ୨୪ଟି ବସ୍ ରୁ ୧ଲକ୍ଷ୬୩ ହଜାର ଜରିମାନା ଆଦାୟ ହୋଇଥିବା ପରିବହନ ଅଧିକାରୀ ନୀଳକଣ୍ଠ ପ୍ରଧାନ ସୂଚନା ଦେଇଛନ୍ତି । ଏଥି ସହ ବସ ଗୁଡ଼ିକରେ ରେଟ ଚାର୍ଟ ମାରିବା ପାଇଁ ବସ୍ ମାଲିକ ମାନଙ୍କୁ ପରାମର୍ଶ ଦେବା ସହ ଯାତ୍ରା ସମୟରେ କଣ୍ଡକ୍ଟର ଠାରୁ ଟିକେଟ ଗ୍ରହଣ କରିବାକୁ ଯାତ୍ରୀ ମାନଙ୍କୁ ନିବେଦନ କରାଯାଇଛି ।