ଓଡ଼ିଶାରୁ ସର୍ବାଧିକ ୨୫ଜଣ ଜାତୀୟ ସ୍ତରୀୟ ଭଲିବଲ୍‌ ରେଫରୀ ପାଇଁ ମନୋନୀତ

ଓଡ଼ିଶାରୁ ୨୫ ଜଣ ଜାତୀୟସ୍ତରୀୟ ଭଲିବଲ୍‌ ରେଫରୀ ଭାବେ ମନୋନୀତ ହୋଇଛନ୍ତି । ନିକଟରେ ଅନୁଷ୍ଠିତ ହୋଇଥିବା ଜାତୀୟସ୍ତରୀୟ ଭଲିବଲ୍‌ ରେଫରୀ ପରୀକ୍ଷାରେ ଓଡ଼ିଶାରୁ ସର୍ବାଧିକ ୨୫ଜଣ କୃତକାର୍ଯ୍ୟ ହୋଇଥିବା ଜଣାଯାଇଛି । ରବିବାର ଭର୍ଚୁଆଲ୍‌ ମୋଡ୍‌ରେ ଭାରତୀୟ ଭଲିବଲ୍‌ ଫେଡେରେସନ୍‌ ବା ଭିଏଫ୍‌ଆଇର କାର୍ଯ୍ୟକାରିଣୀ କମିଟି ତଥା ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ଭିଏଫ୍‌ଆଇର ସଭାପତି ଡକ୍ଚର ଅଚ୍ୟୁତ ସାମନ୍ତ ଏହି ସୂଚନା ଦେଇଛନ୍ତି। ଓଡ଼ିଶାରୁ ପ୍ରଥମ ଥର ଲାଗି ଏତେ ସଂଖ୍ୟକ ପ୍ରାର୍ଥୀ ଜାତୀୟସ୍ତରୀୟ ଭଲିବଲ୍‌ ରେଫରୀ କୃତକାର୍ଯ୍ୟ ହୋଇଥବା କହିବା ସହ ଏହା ଓଡିଶାର ଖେଳାଳି ଓ ଭଲିବଲ୍‌ କ୍ଲବ୍‌ ପାଇଁ ସର୍ବୋପରି ଓଡିଶା ପାଇଁ ଏକ ଭଲ ସଙ୍କେତ ଦେଉଛି ବୋଲି ସୂଚନା ଦେଇଛନ୍ତି ।

ଏହି ଅବସରରେ ଭିଏଫ୍‌ଆଇର ସଭାପତି ଡକ୍ଚର ଅଚ୍ୟୁତ ସାମନ୍ତ କନ୍ଧମାଳରେ ଗ୍ରାମ୍ୟ କନିଷ୍ଠ ବାଳକ ଓ ବାଳିକାଙ୍କ ପାଇଁ ଏକ ଭଲିବଲ୍‌ ଏକାଡେମୀ ଏବଂ କିଟ୍‌ ବିଶ୍ୱବିଦ୍ୟାଳୟରେ ଆଉ ଏକ ଭଲିବଲ୍‌ ଏକାଡେମୀ ଖୋଲିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହା ବ୍ୟତୀତ ଓଡ଼ିଶାରେ ଜାତୟ ଭଲିବଲ୍‌ ଚାମ୍ପିଅନ୍‌ସିପ୍‌, ଜାତୀୟ କୋଚିଂ କ୍ୟାମ୍ପ ଏବଂ କିଟ୍‌ ବିଶ୍ୱବିଦ୍ୟାଳୟରେ ଆନ୍ତର୍ଜାତିକ ଓ ଜାତୀୟ ଭଲିବଲ୍‌ ରେଫରୀ ପରୀକ୍ଷା ଆୟୋଜନ କରିବା ପାଇଁ ସେ ମଧ୍ୟ ପ୍ରସ୍ତାବ ଦେଇଥିଲେ । ଏହି ସବୁ ପ୍ରସ୍ତାବ ଭିଏଫ୍‌ଆଇର କାର୍ଯ୍ୟକାରିଣୀ କମିଟିରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। ଓଡିଶାରେ ଭଲିବଲ୍‌ ପ୍ରଚାର ଓ ପ୍ରସାର କ୍ଷେତ୍ରରେ ନିଆଯାଇଥିବା ପ୍ରୟାସ ସଂପର୍କରେ ଡକ୍ଚର ସାମନ୍ତ ସୂଚନା ପ୍ରଦାନ କରି କହିଲେ, ଓଡ଼ିଶାର ବିଭିନ୍ନ ଭଲିବଲ୍‌ କ୍ଲବ ବିଶେଷ କରି କନ୍ଧମାଳ ଜିଲ୍ଲାର ଭଲିବଲ୍‌ କ୍ଲବ୍‌ ଗୁଡ଼ିକୁ ଭଲିବଲ୍‌ ଓ ନେଟ୍‌ ପରି ଭଲିବଲ୍‌ କ୍ରୀଡ଼ା ପାଇଁ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯାଇଛି। ଓଡ଼ିଶାର ଗ୍ରାମାଞ୍ଚଳରେ ରହିଥିବା ଭଲିବଲ୍‌ ଭିତ୍ତିଭୂମିର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି।

ଏପରିକି କେତେକ ସ୍ଥାନରେ ଫ୍ଲଡ ଲାଇଟ୍‌ର ବ୍ୟବସ୍ଥା କରାଯିବା ଲାଗି ଯୋଜନା ରହିଛି ବୋଲି ବୈଠକରେ ଡକ୍ଚର ସାମନ୍ତ କହିଥିଲେ। ସେହିପରି ନିଜ ନିଜ ରାଜ୍ୟରେ ତଳସ୍ତରରେ ଭଲିବଲ୍‌କୁ ଲୋକପ୍ରିୟ କରାଇବା ପାଇଁ ସେ ବୈଠକରେ ଉପସ୍ଥିତ ଥିବା ଭିଏଫ୍‌ଆଇର ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। ଏଥିରେ ଉପସ୍ଥିତ ସଦସ୍ୟମାନେ ସହମତି ପ୍ରକାଶ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭିଏଫ୍‌ଆଇର କାର୍ଯ୍ୟକାରୀ ଉପସଭାପତି ରାଜକୁମାର, ମହାସଚିବ ଅନୀଲ ଚୌଧୁରୀ, ଚେୟରମ୍ୟାନ ତଥା ଉପସଭାପତି ଏସ୍‌ ବାସୁଦେବନ, ଉପସଭାପତି ରଥିନ ରାୟ ଚୌଧୁରୀ, ଆନନ୍ଦଶଙ୍କର ରାଜହଂସ, ସହଯୋଗୀ ଉପସଭାପତି ଶେଖର ବୋଷ, ବ୍ରଜେଶ ପାଠକ, ଭିଏଫଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାମାବତାର ସିଂ ଝାକରଙ୍କ ସମେତ ଭିଏଫଆଇର ସମସ୍ତ କର୍ମକର୍ତ୍ତା ଏବଂ ୩୦ଟି ରାଜ୍ୟ ଭଲିବଲ୍‌ ଆସୋସିଏସନର ସଭାପତି ଓ ସାଧାରଣ ସମ୍ପାଦକ ଉପସ୍ଥିତ ଥିଲେ।

You might also like