ନିଆରା ଢଙ୍ଗରେ ପାଳିତ ହେଲା ୨୫ତମ ବିବାହ ବାର୍ଷିକ, ବରଯାତ୍ରୀ ସାଜିଲେ ଝିଅ ସହିତ ପରିବାରର ବନ୍ଧୁବାନ୍ଧବ

କାକଟପୁର: ବିବାହ ପାଇଁ ବରକନ୍ୟାଙ୍କୁ କାରରେ ନିଆଯାଉଛି,ବରଯାତ୍ରୀ ବି ଆଗେ ଆଗେ ଚାଲିଛନ୍ତି । ତା ସାଙ୍ଗକୁ ବାଜାର ତାଳେ ତାଳେ ବରଯାତ୍ରୀ ନାଚୁଛନ୍ତି । ଗାଡି ପଛକୁ ଗାଡି ପ୍ରୋଶେସନ ରେ ଯାଉଛନ୍ତି । ବାଜା ବାଣ ସାଙ୍ଗକୁ ବରଯାତ୍ରୀଙ୍କ ପ୍ରୋଶେସନ ଏ ଦୃଶ୍ୟ ଦେଖିବା ପରେ ଆପଣ ଭାବୁଥିବେ ବୋଧ ହୁଏ କୋଉ ନବଦମ୍ପତିଙ୍କ ବାହାଘର । ନାଁ ଆଜ୍ଞା, ଏ କୌଣସି ବିବାହ ଉତ୍ସବ ନୁହେଁ । ଏ ଆକର୍ଷଣୀୟ ଦୃଶ୍ୟ ହେଉଛି ବିବାହ ବାର୍ଷିକ ଉତ୍ସବର । ତାଙ୍କର ଦୁଇ ଝିଅ ଏବଂ ଝିଅ ମାନଙ୍କ ସାଙ୍ଗସାଥି ଏହି ପ୍ରୋଶେସନରେ ବରଯାତ୍ରୀ ସାଜି ନାଚି ନାଚି ପ୍ରୋଶେସନକୁ ଦୁଲୁକାଇ ଦେଉଛନ୍ତି ।

ଆତସବାଜି ସାଙ୍ଗକୁ ଫୁଲଝରି ବାଣ ବି ଫୁଟୁଛି, ମଣ୍ଡପ ନିକଟରେ ପହଞ୍ଚି ଗଲାପରେ ଦମ୍ପତି ଦ୍ୱୟଙ୍କୁ ସ୍ଵତନ୍ତ୍ର ସ୍ଵାଗତ କରାଯାଉଛି । ଦୁଇ ପାର୍ଶ୍ବରେ ସଫଳ ଯୋଡ଼ିଙ୍କର ବଡ ବଡ ଫୋଟୋ ଲଗାଯାଇଛି । ନାଲି କାର୍ପେଟରେ ଦୁଇଜଣ ଚାଲି ଯାଉଥିବା ବେଳେ ଫୁଲଝରି ଦ୍ଵାରା ସେମାନଙ୍କୁ ସ୍ଵାଗତ କରୁଛନ୍ତି ବନ୍ଧୁ ,ପରିଜନ ଏବଂ ପରିବାର ଲୋକେ । ଫୁଲରେ ସଜାଇ ହୋଇଥିବା ପେଣ୍ଡାଲ ଉପରେ ଦୁଇ ଯୋଡି ବ୍ରାହ୍ମଣଙ୍କ ମନ୍ତ୍ର ଧ୍ବନି ଉଚ୍ଚାରଣରେ ପରସ୍ପର ମଧ୍ୟରେ ଫୁଲ ମାଳ ଅଦଳ ବଦଳ କରାଯାଉଛି । ସତେ ଅବା ଦୁଇଜଣ ନବ ବିବାହିତ ଯୋଡିଙ୍କର କରାଯାଉଛି ବିବାହ । ସେହିଭଳି ବନ୍ଧୁ ବାନ୍ଧବ ଆଉ ପରିଜନ ମାନେ ଦମ୍ପତିଙ୍କୁ ଭେଟି ଦେଉଛନ୍ତି ବିଭିନ୍ନ ଉପହାର ।

ବିବାହ ହେଉଛି ଏକ ସାମାଜିକ ପ୍ରଥା ବା ପରମ୍ପରା ,ଏହି ପରମ୍ପରା କାହିଁ କେଉଁ ଆବହମାନ ସମୟରୁ ସାମାଜିକ ଚଳନୀରେ ଯୋଡି ହୋଇ ରହିଛି । ବୈଦିକଯୁଗ ଠାରୁ ଏହି ପରମ୍ପରା ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଚଳି ଆସୁଛି । ବିଭିନ୍ନ ଧର୍ମ ବା ସମ୍ପ୍ରଦାୟରେ ବିବାହର ଭିନ୍ନ ଭିନ୍ନ ପ୍ରଥା ରହିଥିବା ବେଳେ ବିବାହ ଦୁଇଟି ନୂଆ ଜୀବନକୁ ଯୋଡି ଏକ ସୁସ୍ଥ ସମାଜ ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ବୈଦିକ ପରମ୍ପରାରେ ବିବାହର ସ୍ୱରୂପ ଅନ୍ୟ କିଛି ରହିଥିବା ବେଳେ ଆଜିର ଆଧୁନିକ ଯୁଗରେ ବିବାହକୁ ଭିନ୍ନ ଭିନ୍ନ ଢଙ୍ଗରେ ଆଜିର ଯୁବପିଢି ଆୟୋଜନ କରୁଛନ୍ତି । ବିବାହ ଏକ ସାମାଜିକ ବ୍ୟବସ୍ଥା ହୋଇଥିବା ବେଳେ ଏହା ଶାସ୍ତ୍ରୀୟ ମତରେ ଆୟୋଜନ କରାଯାଇଥାଏ । ଆଜିକାଲିର ଯୁବପିଢିଙ୍କ ବୈବାହିକ ଜୀବନ ଦୀର୍ଘସ୍ଥାୟୀ ହୋଇ ପାରୁନଥିବା ବେଳେ ଦୀର୍ଘ ୨୫ ବର୍ଷ ଧରି ବିବାହ ବନ୍ଧନରେ ବାନ୍ଧିହୋଇ ୨୫ ତମ ବିବାହ ବାର୍ଷିକକୁ ଏକ ନିଆରା ଢଙ୍ଗରେ ପାଳନ କରୁଥିବା ଏକ ଦମ୍ପତି ଅସ୍ତରଙ୍ଗ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ଅସ୍ତରଙ୍ଗ ଗାଁର ଉମାକାନ୍ତ ବିଶ୍ଵାଳ ଏବଂ କବିତା ବିଶ୍ଵାଳ ପଚିଶ ବର୍ଷ ତଳେ ବିବାହ କରିଥିଲେ । ଉମାକାନ୍ତ ବ୍ୟବସାୟୀ ହୋଇଥିବା ବେଳେ କବିତା ଏକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରିଥାନ୍ତି । ଦୀର୍ଘ ୨୫ ବର୍ଷ କାଳ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ସେମାନଙ୍କ ପରସ୍ପର ମଧ୍ୟରେ ଆଜି ବି ସମାନ ପ୍ରେମ ଆଉ ଭଲପାଇବା ଅତୁଟ ରହିଛି । ଉମାକାନ୍ତ ଏବଂ କବିତାଙ୍କର ଦୁଇଟି କନ୍ୟା ସନ୍ତାନ ରହିଥିବା ବେଳେ ପିଲାମାନେ ଏବେ କଲେଜରେ ପାଠ ପଢୁଛନ୍ତି ।

ବାପା ମା’ଙ୍କ ଦୀର୍ଘ ୨୫ ବର୍ଷର ବିବାହ ବାର୍ଷିକକୁ ଏକ ନିଆରା ଢଙ୍ଗରେ ପାଳନ କରିବା ପାଇଁ ପିଲାମାନେ ମନସ୍ଥ କଲେ । ସେଥିପାଇଁ ପରିବାର ପରିଜନଙ୍କ ସହିତ ବନ୍ଧୁ ବାନ୍ଧବ ସାଙ୍ଗ ସାଥି ଏହି ବିବାହ ବାର୍ଷିକ ଉତ୍ସବରେ ସାମିଲ ହେବା ପାଇଁ ସମସ୍ତଙ୍କୁ ନିମନ୍ତ୍ରଣ କରାଗଲା । ଏବଂ ଏହି ବିବାହ ବାର୍ଷିକ ଉତ୍ସବ ହୋଇଥିଲା ନବଦମ୍ପତିଙ୍କ ବିବାହ ଉତ୍ସବ ଭଳି । ୨୫ ବର୍ଷର ବିବାହ ବାର୍ଷିକ ଆୟୋଜନ ଏକ ନିଆରା ଢଙ୍ଗରେ ପାଳନ କରି ଚର୍ଚ୍ଚାରେ ଏହି ଦମ୍ପତିଙ୍କ । ବିବାହ ବାର୍ଷିକ ଉତ୍ସବ ଦେଖି ଲାଗୁଥିଲା ଯେ କେହି ଦୁଇଜଣ ଯୁବକ ଏବଂ ଯୁବତୀଙ୍କ ବିବାହ ଉତ୍ସବ ପାଳନ କରାଯାଉଛି । ଏହି ବିବାହ ବାର୍ଷିକ ଉତ୍ସବରେ ଯୋଗ ଦେଇଥିବା ଅତିଥିଙ୍କ ପାଇଁ ଭୋଜିଭାତର ଆୟୋଜନ ମଧ୍ୟ ହୋଇଛି ।

ଆଜିକାଲିର ଯୁବପିଢିଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନରେ ଅନେକ ସମସ୍ୟା ସାଙ୍ଗକୁ ଖୁବ କମ ଦିନରେ ବିବାହ ବିଚ୍ଛେଦ ଦେଖା ଦେଉଥିବା ବେଳେ ଉମାକାନ୍ତ ଏବଂ କବିତା ଙ୍କ ୨୫ ବର୍ଷର ବିବାହ ବାର୍ଷିକ ପାଳନ ପର୍ବ ଯୁବପିଢିଙ୍କୁ ନିଶ୍ଚୟ ସାମାଜିକ ଜୀବନର ନୂଆ ବାର୍ତ୍ତା ଦେବ ।

 

Also Read:ବାହାଘରର ୨ ସପ୍ତାହ ପରେ ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ, ୨ ଲକ୍ଷ ଟଙ୍କାରେ ଦେଇଥିଲା ସୁପାରୀ