ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ: ମଇଦାନରେ ହେଭିୱେଟ, ଫୋକସରେ ରହିବ ମୁଖ୍ୟମନ୍ତ୍ରୀ ଲଢୁଥିବା ୨ ଆସନ

ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ତିନି ପ୍ରମୁଖ ରାଜନୈତିକ ଦଳର ବହୁ ହେଭିୱେଟଙ୍କ ହେବ ଭାଗ୍ୟ ପରୀକ୍ଷା ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଥିବା ଦୁଇଟି ଆସନ ହିଞ୍ଜିଳି ସହ ପଶ୍ଚିମଓଡ଼ିଶାର କଣ୍ଟାବାଞ୍ଜି ପାଇଁ ଭୋଟିଂ ହେଉଛି ।

ଭୁବନେଶ୍ୱର (କେନ୍ୟୁଜ); ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ତିନି ପ୍ରମୁଖ ରାଜନୈତିକ ଦଳର ବହୁ ହେଭିୱେଟଙ୍କ ହେବ ଭାଗ୍ୟ ପରୀକ୍ଷା ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଥିବା ଦୁଇଟି ଆସନ ହିଞ୍ଜିଳି ସହ ପଶ୍ଚିମଓଡ଼ିଶାର କଣ୍ଟାବାଞ୍ଜି ପାଇଁ ଭୋଟିଂ ହେଉଛି । ଭଞ୍ଜନଗର ଆସନରୁ ବିଜେଡିରୁ ପ୍ରାର୍ଥୀ ଅଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ପୁଣି ସୋନପୁରରୁ ଭାଗ୍ୟ ପରୀକ୍ଷା କରୁଛନ୍ତି । ବୌଦ୍ଧରୁ ମନ୍ତ୍ରୀ ପ୍ରଦୀପ ଅମାତ ଓ ଟିଟିଲାଗଡ଼ରୁ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଭାଗ୍ୟ ନିର୍ଦ୍ଧାରଣ ହେବ । ସେହିପରି ରାଉରକେଲାରୁ ମନ୍ତ୍ରୀ ସାରଦା ନାୟକ ଓ ବିଜେପୁରରୁ ମନ୍ତ୍ରୀ ରୀତା ସାହୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଏମାନଙ୍କ ବ୍ୟତୀତ ପୋଲସରାରୁ ବିଜେଡି ଟିକେଟରେ ଲଢୁଛନ୍ତି ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ । ଭଟଲିରୁ ପୁଣି ମଇଦାନକୁ ଓହ୍ଲାଇଛନ୍ତି ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ।.

କନ୍ଧମାଳ ଲୋକସଭା ଆସନରେ ବିଜେଡିରୁ ପୁଣି ଲଢୁଛନ୍ତି ଡ. ଅଚ୍ୟୁତ ସାମନ୍ତ । ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ବିଜେପିରୁ ଜୁଏଲ ଓରାମ ଓ ବଲାଙ୍ଗୀର ଲୋକସଭା ଆସନରେ ସଙ୍ଗୀତା ସିଂହଦେଓ ଲଢୁଛନ୍ତି। ବରଗଡ଼ ବିଜେପି ସାଂସଦ ସୁରେଶ ପୂଜାରୀ ଏଥର ବ୍ରଜରାଜନଗର ବିଧାନସଭା ଆସନରୁ ଲଢୁଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଜେପି ରାଜ୍ୟ ସଭାପତି କେଭି ସିଂହଦେଓ ପାଟଣାଗଡ଼ରୁ ପ୍ରାର୍ଥୀ ଅଛନ୍ତି । ରାଉରକେଲା ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ।

ପୂର୍ବତନ ବାଚସ୍ପତି କିଶୋର ପଟେଲ କଂଗ୍ରେସ ଟିକେଟରେ ବ୍ରଜରାଜନଗର ବିଧାନସଭା ଆସନରୁ ମଇଦାନକୁ ଓହ୍ଲାଇଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ତଥା ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ବଲାଙ୍ଗୀର ବିଧାନସଭା ଆସନରୁ ପ୍ରାର୍ଥୀ ଅଛନ୍ତି । କଣ୍ଟାବାଞ୍ଜିରୁ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରାର୍ଥୀ ଅଛନ୍ତି। ଝାରସୁଗୁଡ଼ା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ଅମିତା ବିଶ୍ବାଳ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

Leave A Reply

Your email address will not be published.