ମହିଳା ଦିବସରେ ରାଜ୍ୟ ସରକାରଙ୍କ ବଡ଼ ଉପହାର, ଆଜି ଆକାଉଣ୍ଟକୁ ଆସିବ ସୁଭଦ୍ରାର ଦ୍ବିତୀୟ କିସ୍ତି

ଭୁବନେଶ୍ୱର : ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଆଜି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବ୍ୟାଙ୍କ୍ ଖାତାକୁ ଆସିବ ସୁଭଦ୍ରାର ଦ୍ବିତୀୟ କିସ୍ତି ଟଙ୍କା । କୋଟିଏରୁ ଅଧିକ ମହିଳାଙ୍କୁ ମିଳିବ ସୁଭଦ୍ରା ଦ୍ବିତୀୟ କିସ୍ତି ସହାୟତା ରାଶି । ବ୍ରହ୍ମପୁର ଆମ୍ବପୁଆ ବିବେକ ବିହାର ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସୁଭଦ୍ରା ଦ୍ୱିତୀୟ କିସ୍ତିର ଅର୍ଥ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରାୟ ୨୫ ହଜାର ମହିଳା । ଏଥିରେ ମନ୍ତ୍ରୀ, ସାଂସଦ, ବିଧାୟକ ପ୍ରମୁଖ ଯୋଗ ଦେବେ ।

ଏହାପୂର୍ବରୁ ଗୁରୁବାର ଦିନ ସୁଭଦ୍ରା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୩୦ ହଜାରରୁ ଅଧିକ ମହିଳାଙ୍କୁ ସହାୟତା ରାଶି ଦିଆଯାଇଛି। ଏହାକୁ ମିଶାଇ କୋଟିଏ ଟପିଛି ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା । ସୁଭଦ୍ରାରୁ ବଞ୍ଚିତ ହିତାଧିକାରୀଙ୍କୁ ଖୋଜିବାକୁ ହେବ ଡୋର ଟୁ ଡୋର ସର୍ଭେ । ମାର୍ଚ୍ଚ ୩୧ରେ ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ସର୍ଭେ କରିବେ ସରକାର । ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୫ ହଜାର ଲେଖାଏ ୧୦ ହଜାର ଟଙ୍କା ପ୍ରଦାନ କରାଯାଉଛି । ସୁଭଦ୍ରା ଏକ ନିରନ୍ତର ଯୋଜନା ଯେଉଁମାନେ ୬୦ ବର୍ଷ ଛୁଇଁବେ ସେମାନେ ବାଦ ପଡିବେ । ତଥ୍ୟ ଭତ୍ତା ପାଇଁ ସାମାଜିକ ସୁରକ୍ଷା ବିଭାଗକୁ ପଠାଯିବ ।

ସେହିପରି ୨୧ ବର୍ଷ ଛୁଇଁଲେ ଆବେଦନ କରିପାରିବେ । ଗତବର୍ଷ ଅକ୍ଟୋବର ୧୭ ତାରିଖରେ ଭୁବନେଶ୍ୱର ଜନତା ମୈଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରେ ବାରିପଦା ଓ ସୁନ୍ଦରଗଡରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ଓ ତୃତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯାଇଥିଲା ।

 

ଆହୁରି ପଢ଼ନ୍ତୁ : ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା : ମାର୍ଚ୍ଚ ୧୦ରୁ ନାମଲେଖା ଆବେଦନ, ମଇ ପ୍ରଥମ ସପ୍ତାହରେ CPET