ପତିତଜନଙ୍କୁ ଉଦ୍ଧାର ପାଇଁ ରଥଯାତ୍ରାରେ ବାହାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି: ଶରଧାବାଲିରେ ଲାଗିଲା ତିିନି ରଥ

ପୁରୀ(କେନ୍ୟୁଜ୍): ଭାବ ଓ ଭକ୍ତିରେ ଉଛୁଳି ପଡୁଥିଲା ଶ୍ରୀକ୍ଷେତ୍ର । ବଡ଼ଦାଣ୍ଡରେ ଲହଡ଼ି ଭାଙ୍ଗୁଥିଲା ଜନସମୁଦ୍ର । ହରିବୋଳ, ହୁଳହୁଳି ସାଙ୍ଗକୁ ସଂକୀର୍ତ୍ତନରେ ଫାଟି ପଡୁଥିଲା ପରିବେଶ । ଜୟଜଗନ୍ନାଥ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ । ରଥ, ପଥ ପ୍ରସ୍ତୁତ ରହିଥିଲା । ଭକ୍ତ ଅପେକ୍ଷା କରି ରହିଥିଲେ କେତେବେଳେ ବଡ଼ଦେଉଳରୁ ଟାହିଆ ହଲାଇ ବାଇଶି ପାହାଚ ଡେଇଁ ବଡ଼ଦାଣ୍ଡକୁ ଓହ୍ଲାଇବେ ମହାବାହୁ । ନୀତିନିର୍ଘଣ୍ଟ ଆଗରୁ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ପହଣ୍ଡି । ପ୍ରଥମେ ଶ୍ରୀସୁଦର୍ଶନ ଆସିଥିଲେ । ତାଙ୍କ ପରେ ଧାଡ଼ି ପହଣ୍ଡିରେ ରତ୍ନସିଂହାସନ ଛାଡ଼ି ବାହାରିଥିଲେ ବଡ଼ଠାକୁର ଶ୍ରୀବଳଭଦ୍ର । ପରେ ପରେ ରଥାରୁଢ଼ ହୋଇଥିଲେ ଦେବୀ ସୁଭଦ୍ରା । ଶେଷରେ ନୀଳକନ୍ଦରରୁ ବାହାରିଥିଲେ କାଳିଆ ସାଆନ୍ତେ । ଟାହିଆ ହଲାଇ ଝୁଲି ଝୁଲି ବଡ଼ଦାଣ୍ଡକୁ ବିଜେ କରିଥିଲେ ଜଗତର ନାଥ ଶ୍ରୀଜଗନ୍ନାଥ । ରଥାରେ ବିରାଜିଥିଲେ ।

ରଥ ଉପରେ କିଛି ନୀତିକାନ୍ତି ସରିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ ଶଙ୍କରାଚାର୍ଯ୍ୟ । ପରେ ପରେ ସୁବର୍ଣ୍ଣ ଖଡ଼ିରାରେ ଛେରା ପହଁରା କରିଥିଲେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ । ଏହାପରେ ରଥଟଣା ପାଇଁ ଆରମ୍ଭ ହୋଇଥିଲା ପ୍ରସ୍ତୁତି । ଚାରମାଳ ଫିଟା, ଘୋଡ଼ା ଯୋଚା ଓ ସାରଥି ଲାଗିବା ପରେ ଡାହକୁ ଡାକ ଦେବା ସହ ଆରମ୍ଭ ହୋଇଥିଲା ରଥଟଣା ।

ଆଗେ ଆଗେ ବଳଭଦ୍ରଙ୍କ ତାଳଧ୍ୱଜ, ମଝିରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ସବା ଶେଷରେ ଶରଧାବାଲି ଅଭିମୁଖେ ଗଡ଼ିଥିଲା ଜଗାର ନନ୍ଦିଘୋଷ । ଚହଲି ଉଠିଥିଲା ଭକ୍ତିର ସାଗର ରୂପକ ବଡ଼ଦାଣ୍ଡ । ମହା ଆନନ୍ଦନରେ ତିନି ରଥକୁ ଗୁଣ୍ଡିଚା ବାଡ଼ି ଅଭିମୁଖେ ଟାଣି ନେଇଥିଲେ ଭକ୍ତ । ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ହୋଇଛି । ନବଦିନାତ୍ମକ ଯାତ୍ରାରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀ ଅଭିମୁଖେ ଆସିଛନ୍ତି କାଳିଆ ଠାକୁର । ପତିତଜନଙ୍କୁ ଉଦ୍ଧାର ପାଇଁ ରଥଯାତ୍ରାରେ ବାହାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।

 

Leave A Reply

Your email address will not be published.