ରତ୍ନବେଦୀ ଛାଡ଼ି ଜନ୍ମ ବେଦୀକୁ ନବଦିନାତ୍ମକ ଯାତ୍ରାରେ ମହାବାହୁ, ଆଜି ଶରଧାବାଲିରେ ପହଞ୍ଚିବ ୩ ରଥ

ପୁରୀ: ଜନ୍ମବେଦୀ ଅଭିମୁଖେ ମହାପ୍ରଭୁ । ଆଜି ଶରଧାବାଲିରେ ପହଞ୍ଚିବ ଶ୍ରୀଜିଉଙ୍କ ୩ ରଥ । ଭକ୍ତଙ୍କୁ ଦର୍ଶନ ଦେବାକୁ ବଡ଼ ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ସ୍ବୟଂ ପରଂବ୍ର ହ୍ମ। ରତ୍ନବେଦୀ ଛାଡ଼ି ଜନ୍ମ ବେଦୀକୁ ନବଦିନାତ୍ମକ ଯାତ୍ରାରେ ମହାବାହୁ। ୩ ରଥରେ ଚତୁର୍ଦ୍ଧା ମୂର୍ତ୍ତି। ବାଟରେ ଅଟକି ଯାଇଛନ୍ତି ଶ୍ରୀଜିଉ ।
ମରିଚିକୋଟ ଛକ ନିକଟରେ ବଳଭଦ୍ରଙ୍କ ତାଳଧ୍ବଜ ରଥ, ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ସିଂହଦ୍ବାର ନିକଟରୁ ମାତ୍ର କିଛି ଦୂର ଗଡ଼ିଛି ନନ୍ଦିଘୋଷ ରଥ। ଆଜି ପୁଣି ରଥଟଣା ହେବ। ଜନ୍ମ ବେଦୀରେ ପହଞ୍ଚିବେ ଭାଇ ଭଉଣୀ । ଏ ବର୍ଷ ଦୁଇ ଦିନ ପାଳିତ ହେଉଛି ଗୁଣ୍ଡିଚା ।
ଦୀର୍ଘ ୫୩ ବର୍ଷ ପରେ ଏହି ବିରଳ ଘୋଷଯାତ୍ରା। ଗତକାଲି ସମସ୍ତ ନୀତିକାନ୍ତି ପରେ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ପ୍ରାୟ ୩ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ପହଣ୍ଡି । ସକାଳ ୧୧ଟା ୧୦ରେ ପହଣ୍ଡି ଆରମ୍ଭ ହୋଇ ଦିନ ୨ଟା ୨୦ରେ ଶେଷ ହୋଇଥିଲା ।
ପ୍ରଥମେ ଚକ୍ରରାଜ ସୁଦର୍ଶନ, ବଡ଼ ଠାକୁର ବଳଭଦ୍ର, ପରେ ଦେବୀ ସୁଭଦ୍ରା ଓ ଶେଷରେ ନନ୍ଦିଘୋଷ ରଥରେ ବିଜେ ହୋଇଥିଲେ ଜଗନ୍ନାଥ । ପହଣ୍ଡି ଶେଷ ପରେ ୩ ରଥରେ ଛେରା ପହଁରା କରିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଅପରାହ୍ନ ୪ଟା ୫୦ରେ ରଥ ଟଣା ଆରମ୍ଭ ହୋଇଥିଲା। ଘୋଷଯାତ୍ରରେ ଶ୍ରୀକ୍ଷେତ୍ର ଜନସମୁଦ୍ର ପାଲଟିଛି ।