ଖେଳୁ ଖେଳୁ ପୋଖରୀରେ ବୁଡ଼ିଗଲେ… ତିନି ଅଙ୍ଗନବାଡ଼ି ଶିଶୁ ମୃତ

ଆନନ୍ଦପୁର / ଭଦ୍ରକ: ଖେଳୁଥିବା ବେଳେ ପୋଖରୀରେ ବୁଡ଼ି ୩ ଶିଶୁ ମୃତ । ଏପରି ଦୁଃଖଦ ଘଟଣା ଭଦ୍ରକ ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ଆତ୍ରୁକଣା ଅଙ୍ଗନବାଡ଼ି ନିକଟରେ ଘଟିଛି । ଶିଶୁଙ୍କ ମୃତଦେହ ଉଦ୍ଧାର କରିବା ପରେ ଆଗରପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ସୂଚନା ଅନୁସାରେ ଆଜି ସକାଳେ ୩ ଜଣ ଶିଶୁ ଆତ୍ରୁକଣାରେ ଥିବା ଅଙ୍ଗନବାଡ଼ିକୁ ପାଠ ପଢ଼ିବା ପାଇଁ ଆସିଥିଲେ । ପାଠ ପଢ଼ା ସରିବା ପରେ ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ର ବାହାରେ ଖେଳୁଥିଲେ । ଖେଳୁ ଖେଳୁ ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଥିବା ପୋଖରୀ ନିକଟକୁ ଚାଲିଯାଇଥିଲେ । ଏହି ସମୟରେ ୩ ଜଣ ଶିଶୁ ବୁଡ଼ି ଯାଇଥିବା ଜଣାଯାଇଛି । ସ୍ଥାନୀୟ ଲୋକେ ୩ ପିଲାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଗରପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।