ପରକୀୟା ପ୍ରିତି ପାଇଁ ଅନ୍ଧାରରେ ୩ ନିରୀହ ଶିଶୁଙ୍କ ଜୀବନ, ବାପା ମା’ ସହ ଜେଲ୍ ଗଲେ

ମୟୁରଭଞ୍ଜ : ମାଆ ବାପାଙ୍କ ଭୁଲ ପାଇଁ ଜେଲ ଗଲେ ୩ ନିରୀହ ଶିଶୁ । ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି ଏ କୁନି କୁନି ପିଲା କଣ ତାଙ୍କର ଭୁଲ୍ ? ଜେଲ ଦଣ୍ଡ କାହିଁକି ଭୋଗିବେ ? ଦୁନିଆ କଣ ଜାଣିନାହାନ୍ତି କି ଭଲଭାବେ ବୁଝିନାହାଁନ୍ତି କିନ୍ତୁ ଏବେ ଜେଲର ଚାରିକାନ୍ଥ ଭିତରେ ତାଙ୍କ ଜୀବନ ବିତିବ । କାହିଁକି ନା ମା ବାପାଙ୍କ ଭୁଲ ପାଇଁ ଏବେ ଜେଲ ହାଜତକୁ ଯାଇଛନ୍ତି ନିଷ୍ପାପ ୩ ଶିଶୁ । ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କପ୍ତିପଦା ପୋଲିସ ଏବେ ସେମାନଙ୍କୁ କୋର୍ଟ ଚାଲାଣ କରିଛି ଓ ଜେଲ ପଠାଇଛି । ହେଲେ ମା ବାପାଙ୍କ ଭୁଲ ପାଇଁ ଏବେ ୩ ନିଷ୍ପାପ ଶିଶୁ ମଧ୍ୟ ତାଙ୍କ ସହ ଜେଲ ଯାଇଛନ୍ତି ।

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ବିଦ୍ୟାଧର ନଗର ଗାଁ ନିକଟ ଜଙ୍ଗଲରେ ରବିବାର ଦିନ ଏକ ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ଦେଖୁବାକୁ ମିଳିଥିଲା । ଘଟଣା ଖବର ପାଇବା ପରେ କପ୍ତିପଦା ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ତଦନ୍ତ କରିବା ପରେ ହତ୍ୟାର ରହସ୍ୟ ଫିଟିଥିଲା । ପୋଲିସ ସନ୍ଦେହରେ ସେହି ଗାଁର ସାବିତ୍ରୀ ସଏ ଓ ପଡ଼ୋଶୀ ଦୁଃଖିଆ ସଏ ଓ ଜୟନ୍ତୀ ସଏ କୁ ଗିରଫ କରିଥିବା ବେଳେ ହତ୍ୟାକାଣ୍ଡର ବ୍ୟବହୃତ କଟୁରୀକୁ ଜବତ କରିଥିଲା ପୋଲିସ ।

ପୋଲିସ କହିବା ଅନୁଯାୟୀ, ମୃତକ ମାଦେ ସିଂ ସହିତ ସେହି ଗାଁର ସାବିତ୍ରୀ ସଏ ଙ୍କ ସ୍ୱାମୀ ପ୍ରତାପ ସଏ ଙ୍କ ପ୍ରେମ ସମ୍ପର୍କ ରହିଥିଲା । ସାବିତ୍ରୀ ଏହାକୁ ନେଇ ସନ୍ଦେହ କରୁଥିଲା । ଏପରିକି ସାବିତ୍ରୀ ଓ ମାଦେ ସିଂଙ୍କ ମଧ୍ୟରେ ପୂର୍ବରୁ ଝଗଡା ହୋଇ ଆସୁଥିଲା । ତେବେ ଶନିବାର ରାତିରେ ମାଦେକୁ ଏକୁଟିଆ ପାଇବା ପରେ ସୋନୋ ଡ୍ୟାମଠାରେ ଏକ ମାରଣାସ୍ତ୍ରରେ ମୁଣ୍ଡକୁ ପ୍ରହାର କରିଥିଲା । ଫଳରେ ଘଟଣା ସ୍ଥଳରେ ମାଦେର ମୃତ୍ୟୁ ହୋଇଥିଲା । ଏହାପରେ ପଡ଼ୋଶୀ ଦୁଃଖିଆ ସଏ ଓ ଜୟନ୍ତୀ ସଏ ସହାୟତାରେ ମୃତଦେହକୁ ଆଣି ଜଙ୍ଗଲରେ ଫିଙ୍ଗି ଦେଇଥିଲେ ।

ଏହି ହତ୍ୟାକାଣ୍ଡ ଘଟଣାରେ ଆଜି ମୁଖ୍ୟ ଅଭିଯୁକ୍ତ ମହିଳାଙ୍କ ସମେତ ସହଯୋଗୀ ସ୍ୱାମୀ ଓ ସ୍ତ୍ରୀ ମଧ୍ୟ କୋର୍ଟ ଚାଲାଣ ହୋଇଛନ୍ତି । ଏପରିକି ସେମାନଙ୍କ ତିନି ଶିଶୁ ମଧ୍ୟ ତାଙ୍କ ସହ ଜେଲ ଯାଇଛନ୍ତି । ମୁଖ୍ୟ ଅଭିଯୁକ୍ତ ସାବିତ୍ରୀ ସଏଙ୍କ ୨ ବର୍ଷର ପୁଅ ଏବଂ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ଗୋଟିଏ ୪ ବର୍ଷର ଝିଅ ଓ ୩ ବର୍ଷର ପୁଅ ମଧ୍ୟ ମା ବାପାଙ୍କ ସହିତ ଜେଲକୁ ଯାଇଛନ୍ତି ।

Also Read:ମା’ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ପୁଅର ଦୁଇଟିଯାକ କିଡନୀ ନଷ୍ଟ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ