ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଦୁଇ ପଡୋଶୀ ମଧ୍ୟରେ ହଣାକଟା, ୩ ଆହତ

ଆଳି : ଜମିବାଡ଼ି ବିବାଦରୁ ହଣାକଟା । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ମାଟିଆ ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଦୁଇ ପଡୋଶୀ ମଧ୍ୟରେ ଗଣ୍ଡଗୋଳ ଘଟିଛି । ଫଳରେ ଉଭୟ ପକ୍ଷରୁ ୩ଜଣ ଆହତ ହୋଇଥିବା ବେଳେ ଗୋଟିଏ ପକ୍ଷର ସ୍ୱାମୀ, ସ୍ତ୍ରୀ ଗୁରୁତ୍ୱର ହୋଇଛି । ଚିକିତ୍ସା ପାଇଁ ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । କିଛିଦିନ ହେବ ଜମିଜମା ବିକ୍ରିକୁ ନେଇ ଉଭୟ ପଡ଼ୋଶୀଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା ।
ଏନେଇ ଗୋଟିଏ ପକ୍ଷ ରାଜକନିକା ଥାନାର ଦ୍ୱାରସ୍ଥ ହୋଇଥିଲେ । ଆଜି ରାଜକନିକା ପୋଲିସ ମାଟିଆ ଗାଁକୁ ଯାଇ ଉଭୟ ପକ୍ଷଙ୍କୁ ବୁଝାସୁଝା କରିଫେରିଥିଲା । ହେଲେ ପୋଲିସ ଫେରିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ପରେ ଉଭୟ ମୁହାଁମୁହିଁ ହବା ସହ ବିଭିନ୍ନ ମରଣାସ୍ତ୍ରରେ ହଣାକଟା ହୋଇଥିଲେ । ଏବେ ରାଜକନିକା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।