ଭଦ୍ରକ ନୂଆ ବସଷ୍ଟାଣ୍ଡ ନିକଟରେ ବିଚ୍ ରାସ୍ତାରେ ହଣାକଟା, ୩ ଜଣ ଆହତ
ଭଦ୍ରକ : ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଟଙ୍କା ଓ ଅଣ୍ଡା ନଦେବାରୁ ଡ୍ରାଇଭରକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ । ଭଦ୍ରକ ନୂଆ ବସଷ୍ଟାଣ୍ଡ ନିକଟରେ ବିଚ୍ ରାସ୍ତାରେ ହଣାକଟା । ଏଥିରେ ୩ ଜଣ ଆହତ ହୋଇଛନ୍ତି । ଗତକାଲି ବସଷ୍ଟାଣ୍ଡ ନିକଟରେ ଏକ ଅଣ୍ଡା ବୋଝେଇ ଟ୍ରକ ଅନଲୋଡ ପାଇଁ ରହିଥିଲା ।
ହଠାତ୍ ୩ ଜଣ ଯୁବକ ଆସି ଡ୍ରାଇଭରଙ୍କୁ ଟଙ୍କା ମାଗିଥିଲେ । ସେ ଟଙ୍କା ନଦେବାରୁ ମାଡ ମାରିଥିଲେ । ପରେ ଡ୍ରାଇଭର ଜଣକ ଟ୍ରାନ୍ସପୋର୍ଟ ମାଲିକଙ୍କୁ ଫୋନ କରିଥିଲେ । ଟ୍ରାନ୍ସପୋର୍ଟ ମାଲିକ ଦୁଇ ସହଯୋଗୀଙ୍କ ସହ ଆସିବା ପରେ ୩ଯୁବକଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏଥିରେ ରାଗିଯାଇ ସମସ୍ତଙ୍କୁ ଆକ୍ରମଣ କରିଥିଲେ ନିଶାସକ୍ତ ଯୁବକ । ଏପରିକି ଛୁରୀ, ଭୁଜାଲି ଓ ବ୍ଲେଡରେ ଆକ୍ରମଣ କରିଥିଲେ।
କୌଣସି ଉପାୟ ନପକାଇ ଏକ ଅଟୋରେ ଭଦ୍ରକ ଟାଉନ ଥାନା ଯାଉଥିଲେ ଟ୍ରାନ୍ସପୋର୍ଟ ମାଲିକ । ତଥାପି ଛାଡିନଥିଲେ ଆକ୍ରମଣକାରୀ । ଅଟୋକୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ଏଥିରେ ଟ୍ରାନ୍ସପୋର୍ଟ ମାଲିକ, ଅଣ୍ଡା ବେପାରୀ ଓ ଅଟୋ ମାଲିକ ଗୁରୁତର ହୋଇଛନ୍ତି । ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିିବାବେଳେ ଦୁଇଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସେପଟେ ୩ ଆକ୍ରମଣକାରୀଙ୍କୁ ଅଟକ ରଖିଛି ପୋଲିସ ।